କୁଖ୍ୟାତ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ
Khabar Odisha:top-maoist-leader-Sabyasachi-Panda-gets-life-imprisonment
ବ୍ରହ୍ମପୁର, ମେ ୧୮ (ଖବର ଓଡ଼ିଶା):

କୁଖ୍ୟାତ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଦେଶଦ୍ରୋହ ଅଭିଯୋଗରେ ବ୍ରହ୍ମପୁର ଏଡିଜେ କୋର୍ଟ ଶୁଣାଣୀ କରି ରାୟ ଶୁଣାଇଛନ୍ତି । ଏ ନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇଛନ୍ତି । 

ସବ୍ୟସାଚୀଙ୍କୁ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା । ବ୍ରହ୍ମପୁର ପ୍ରଥମ ଏଡିଜେ ସଞ୍ଜୟ ସାହୁ ସବ୍ୟସାଚୀଙ୍କ ମାମଲାର ଶୁଣାଣୀ କରିଛନ୍ତି । ସେ ଏକାଧିକ ଅପରାଧିକ ମାମଲା ସହିତ ଜଡ଼ିତ ଅଛନ୍ତି । ତାଙ୍କ ବିରୋଧରେ ୧୩୫ଟିରୁ ଉର୍ଦ୍ଧ୍ୱ ମାମଲା ଥିବାବେଳେ ୫୨ଟିରେ ସେ ନିର୍ଦ୍ଦୋଶ ପ୍ରମାଣିତ ହୋଇଥିଲେ । କିନ୍ତୁ ଗୋଟିଏ କେସ୍‌ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଇପିସି ଧାରା ୧୨୧ ଅନୁଯାୟୀ ଦେଶଦ୍ରୋହୀ ଅଭିଯୋଗରେ ତାଙ୍କୁ ଦଣ୍ଡିତ କରିଛନ୍ତି ଏଡିଜେ ସଞ୍ଜୟ ସାହୁ । ଏହା ସହିତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଗତ ଜୁଲାଇ ୧୭, ୨୦୧୪ରେ ସବ୍ୟସାଚୀଙ୍କୁ ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଏ ଚନ୍ଦ୍ରାରାଓଙ୍କ ଘରୁ ଗିରଫ କରାଯାଇଥିଲା । ଏହି ସମୟରେ ପୋଲିସ ସହିତ ହାତାହାତି ମଧ୍ୟ ହୋଇଥିଲା । ପୋଲିସ ୮୦୦ଗ୍ରାମର ସୁନା, ବନ୍ଧୁକ ଓ ୨ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା । ତାଙ୍କ ବିରୋଧରେ କେସ୍‌ ନଂ- ୧୨୭/୧୪ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ପ୍ରାୟ ୧୫ ଜଣ ସାକ୍ଷୀ ରହିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । କୋର୍ଟ ନିଷ୍ପତ୍ତିକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସବ୍ୟସାଚୀଙ୍କ ଓକିଲ କହିଛନ୍ତି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୦୮ରେ ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାରେ ସବ୍ୟସାଚୀଙ୍କ ସଂପୃକ୍ତି ରହିଥିଲା । ସେହିପରି ୨୦୧୨ରେ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ଅପହରଣରେ ପଛରେ ସେ ଥିଲେ ମୁଖ୍ୟ । ଏହା ସହିତ ୧୩୫ରୁ ଉର୍ଦ୍ଧ୍ୱ ମାଓ ହିଂସା ଓ ଅପରାଧିକ ମାମଲାରେ ସବ୍ୟସାଚୀ ସଂପୃକ୍ତ ରହିଛନ୍ତି ।

  • Tags:

Subscribe

National International State Sports Entertainment