ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ । ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ । ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ମିଳିଛି । ଗିରଫ ଅଭିଯୁକ୍ତ ମାନେ କଟକ ଓ ଭୁବନେଶ୍ୱରରେ ଅନେକ ଲୁଟ ଘଟଣାରେ ସାମିଲ ଅଛନ୍ତି । ଅଟକ ଅଭିଯୁକ୍ତଙ୍କ ବ୍ୟାକଗ୍ରାଉଣ୍ଡ ଜାଣିବା ପାଇଁ ମଧ୍ୟପ୍ରଦେଶ ପୋଲିସ ସହିତ ଯୋଗାଯୋଗରେ ଅଛି ସ୍ପେଶାଲ ସ୍କ୍ୱାର୍ଡ । ଅଟକ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ କାର, ୨ ବାଇକ, ଲୁଟ ଟଙ୍କା ଓ ନକଲି ପୋଲିସ ପରିଚୟପତ୍ର ବା ଆଇ-କାର୍ଡ ଜବତ କରାଯାଇଛି ।
ସୂଚନାଯୋଗ୍ୟ ଯେ ୧୯ ତାରିଖ ଦିନ ଜନଗହଳିପୂର୍ଣ୍ଣ ରାଜମହଲ ଛକରେ ଏହି ଗ୍ୟାଙ୍ଗ୍ ଦିନ ଦିପହରରେ ଏକ ବଡ଼ଧରଣର ଲୁଟ୍ କରିଥିଲା । ବାଲିପାଟଣା ବନମାଳୀପୁର ଅଞ୍ଚଳର ଯୁବ ବ୍ୟବସାୟୀ ସମ୍ବିତ ସାହୁଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଇଥିଲା ଏହି ଗ୍ୟାଙ୍ଗ୍ । ସମ୍ବିତ ଏକ ଗହଣା ଦୋକାନକୁ ଯାଉଥିବା ବେଳେ ଏହି ଗ୍ୟାଙ୍ଗ୍ ତାଙ୍କୁ ଘେରି ଯାଇଥିଲା । ନକଲି ଆଇ-କାର୍ଡ ଦେଖାଇ ସେମାନେ ପୋଲିସ ବୋଲି କହିଥିଲେ ଆଉ ବ୍ୟାଗ୍ରେ ଗଞ୍ଜେଇ ରଖିଛ କହି ସମ୍ବିତଙ୍କୁ ଧମକାଇଥିଲେ । ସମ୍ବିତ ଭୟରେ ସେମାନଙ୍କ ହାତକୁ ଯାଞ୍ଚ କରିବାକୁ ବ୍ୟାଗ୍ ବଢ଼ାଇ ଦେଇଥିଲେ । ବ୍ୟାଗ୍ରୁ ୫୦୦ ଟଙ୍କିଆ ୪ ବିଡ଼ା ନୋଟ୍କୁ ଧରିପକାଇ ସେମାନେ ଥାନାକୁ ଚାଲ ବୋଲି ସମ୍ବିତଙ୍କୁ କହିଥିଲେ । ୪ ଜଣ ୨ ବାଇକ୍ରେ ଓ ଅନ୍ୟ ୩ ଜଣ ଏକ କାର୍ରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଦିଗରେ ପଳାଇଥିଲେ ଏବଂ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଯାଇଥିଲେ । ସମ୍ବିତ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେମାନଙ୍କୁ ଚିହ୍ନଟ କରିବାକୁ ଲାଗିପଡ଼ିଥିଲା । ଏହା ପୂର୍ବରୁ କଟକ ମାଲଗୋଦାମ ଥାନା ଓ ବାଦାମବାଡ଼ି ଥାନା ଅଞ୍ଚଳରେ ଏଭଳି ୨ଟି ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା ।
ଟ୍ୱିନ୍ ସିଟିର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୦ରୁ ଅଧିକ ଲୁଟ୍ କରି କମିସନରେଟ୍ ପୋଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍କୁ ଠାବ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଘନଘନ ଜେରା କରାଯାଉଛି । ତଦନ୍ତ ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ଅଧିକ ପଢ଼ନ୍ତୁ : କଡା ସୁରକ୍ଷା ମଧ୍ୟରେ ମଣିପୁରର ୧୧ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ