ନୂଆଦିଲ୍ଲୀ: ଇରାନ ସହିତ ଚାଲିଥିବା ଯୁଦ୍ଧରେ ଆମେରିକା ପକ୍ଷରୁ ପ୍ରଚୁର ଅର୍ଥ ଏବଂ ଯୁଦ୍ଧାସ୍ତ୍ର ନଷ୍ଟ ହୋଇଥିବା ନେଇ ଏକ ବଡ଼ ଖୁଲାସା ହୋଇଛି। ପେଣ୍ଟାଗନ୍ ୱାଚ୍ଡଗ୍ର ଏକ ରିପୋର୍ଟ ଅନୁଯାୟୀ, ଆମେରିକା ଏହି ଯୁଦ୍ଧରେ ମାତ୍ର ୬ ମାସ ମଧ୍ୟରେ ପ୍ରାୟ ୩୩.୪ ଅବ୍ଜ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩.୨୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ କରିସାରିଛି। ଏହି ଅର୍ଥାବସ୍ଥା ଭିତରେ କେବଳ ଗୋଳାବାରୁଦ ଏବଂ ମିସାଇଲ୍ ବାବଦକୁ ୨୨ ବିଲିୟନ ଡଲାରରୁ ଅଧିକ ଅର୍ଥ ଜଳିଯାଇଛି।
ପ୍ରତିରକ୍ଷା ବିଭାଗର ଇପେକ୍ଟର ଜେନେରାଲଙ୍କ ରିପୋର୍ଟରେ (ଯାହାକି ଫେବୃଆରୀ ୨୮ ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟସୀମାକୁ ଅନ୍ତର୍ଭୁକ୍ତ) ଯୁଦ୍ଧର ପ୍ରଥମ ସରକାରୀ କ୍ଷତିଗ୍ରସ୍ତ ହିସାବ ସାମ୍ନାକୁ ଆସିଛି। ଏହା ଆମେରିକାର ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ବଡ଼ ଚାପ ପକାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଗୋଳାବାରୁଦ ଅଭାବ ନେଇ ଆସୁଥିବା ରିପୋର୍ଟଗୁଡ଼ିକୁ ଖଣ୍ଡନ କରୁଥିଲେ ମଧ୍ୟ, ପ୍ରତିରକ୍ଷା ବିଭାଗ ନିଜେ ଅସ୍ତ୍ରଶସ୍ତ୍ରର ଅଭାବ ଏବଂ ଶିଳ୍ପ ଭିତ୍ତିଭୂମିରେ ସମସ୍ୟା ରହିଥିବା ସ୍ୱୀକାର କରିଛି।
ଖର୍ଚ୍ଚର ହିସାବ ଏବଂ କ୍ଷୟକ୍ଷତି
ରିପୋର୍ଟ ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆମେରିକା ପ୍ରାୟ ୨୨ ଅବ୍ଜ ଡଲାର ଗୋଳାବାରୁଦ ପଛରେ ଖର୍ଚ୍ଚ କରିଛି। ଏହାସହ ସାମଗ୍ରୀ କ୍ଷତି ବାବଦକୁ ୩.୭ ଅବ୍ଜ ଡଲାର ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଆଉ ୭.୪ ବିଲିୟନ ଡଲାର ଯୋଡ଼ି ହୋଇ ମୋଟ ମିଲିଟାରୀ ଖର୍ଚ୍ଚ ୩୩.୪ ବିଲିୟନ ଡଲାରରେ ପହଞ୍ଚିଛି।
ଧ୍ୱଂସ ହେଲା ଅନେକ ଗୁରୁତ୍ୱପୂର୍ଣ୍ଣ ବିମାନ
ଏହି ଯୁଦ୍ଧରେ କେବଳ ଟଙ୍କା ପଇସା ନୁହେଁ, ବରଂ ଆମେରିକୀୟ ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ଏବଂ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷତି ମଧ୍ୟରେ ଲଢ଼ୁଆ ବିମାନ ଏରିଆଲ୍-ରିଫୁଏଲିଂ ଟ୍ୟାଙ୍କର୍, ହେଲିକପ୍ଟର ଏବଂ ବିନା ପାଇଲଟ୍ରେ ଚାଲୁଥିବା ଡ୍ରୋନ୍ କିମ୍ବା ନୀରିକ୍ଷଣ ପ୍ଲାଟଫର୍ମଭଳି ସମ୍ବେଦନଶୀଳ ଯାନଗୁଡ଼ିକ ସାମିଲ ରହିଛି।