ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଆଫଗାନିସ୍ତାନକୁ ଆଜି ମଧ୍ୟ ୭ ୱିକେଟ୍ରେ ହରାଇଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ନିର୍ଦ୍ଧାରିତ ଓଭରରେ ୧୫୯ ରନ୍ କରିଥିବାବେଳେ ଜବାବରେ ଭାରତ ମାତ୍ର ୧୪.୫ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ସହଜ ବିଜୟ ହାସଲ କରିଛି ।ଏହି ଚମତ୍କାର ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୦ରେ ଅଜେୟ ଅଗ୍ରସର ହୋଇ ସିରିଜ୍ ନିଜ ନାମରେ କରିଛି।
ଆଫଗାନିସ୍ତାନର ବ୍ୟାଟିଂ ପ୍ରଦର୍ଶନ
ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜାଦରାନ ୩୩ ବଲ୍ରୁ ୩୭ ରନ୍ କରିଥିବାବେଳେ ଶେଷ ଆଡ଼କୁ ମହମ୍ମଦ ନବୀ ୨୦ (୧୪) ଏବଂ ଅଧିନାୟକ ରଶିଦ ଖାନ ୧୬ ବଲ୍ରୁ ୨୮ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ। ମଧ୍ୟମ କ୍ରମରେ ରସୁଲୀ ମଧ୍ୟ ୧୫ ବଲ୍ରୁ ୨୬ ରନ୍ ଯୋଡ଼ିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇ ୩ ଓଭରରେ ମାତ୍ର ୨୪ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ଅର୍ଶଦୀପ ସିଂହ ୨ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମାଙ୍କ ଧମାକାଦାର ବ୍ୟାଟିଂ
୧୬୦ ରନ୍ର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଓପନର ଆଫଗାନିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଓ୍ବାର୍ଲ୍ଡ କପ୍ ୨୦୨୬ ପରେ ସଞ୍ଜୁ ସାମସନ୍ ନିଜର ଦମଦାର ଫର୍ମ ଜାରି ରଖି ମାତ୍ର ୨୨ ବଲ୍ରୁ ୫୭ ରନ୍ (୭ଟି ଚୌକା, ୪ଟି ଛକା)ର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୫୯ରୁ ଅଧିକ ଥିଲା।
ସେହିପରି ଅଭିଷେକ ଶର୍ମା ୧୯ ବଲ୍ରୁ ୩୯ ରନ୍ (୨ଟି ଚୌକା, ୪ଟି ଛକା) କରିଥିବାବେଳେ ଶେଷ ଆଡ଼କୁ ଈଶାନ କିଷନ ୨୩ ବଲ୍ରୁ ଅପରାଜିତ ୩୮ ରନ୍ ଏବଂ ତିଲକ ବର୍ମା ୧୫ ରନ୍ କରି ଦଳକୁ ସହଜରେ ବିଜୟୀ କରାଇଥିଲେ। ଆଫଗାନିସ୍ତାନ ପକ୍ଷରୁ ରଶିଦ ଖାନ ୩ଟି ଯାକ ୱିକେଟ୍ ନେଇଥିଲେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଆଗରେ ତିଷ୍ଠି ପାରି ନଥିଲେ।