ଚଣ୍ଡୀଗଡ଼: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ଭାରତୀୟ ମାଟିରେ ନଜର ଆସିବ ପାକିସ୍ତାନ ହକି ଦଳ। ଆସନ୍ତା ‘ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬’ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପାକିସ୍ତାନ ଟିମ୍ ଭାରତ ଗସ୍ତ କରିବ। ଏହି ବହୁପ୍ରତୀକ୍ଷିତ ମ୍ୟାଚ୍ ଗୁଡ଼ିକ ପଞ୍ଜାବର ମୋହାଲି ତଥା ଚଣ୍ଡୀଗଡ଼ରେ ଆୟୋଜନ ହେବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ପାକିସ୍ତାନ ଟିମର ଭାରତ ଗସ୍ତ ନେଇ ସ୍ପଷ୍ଟ କରିଛନ୍ତି।
ପାକିସ୍ତାନ ଦଳର ଭାରତ ଗସ୍ତକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କହିଛନ୍ତି ଯେ, "ଖେଳ ହେଉଛି ଭାଇଚାରା ଓ ପ୍ରେମର ପ୍ରତୀକ। କ୍ରୀଡ଼ା କ୍ଷେତ୍ରରେ କୌଣସି ସୀମାର ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ। ଆମେ ପାକିସ୍ତାନୀ ଖେଳାଳିମାନଙ୍କୁ ପଞ୍ଜାବକୁ ପୂର୍ଣ୍ଣ ଆଦର ଓ ସ୍ୱାଗତ ଜଣାଇବୁ। ସୁରକ୍ଷା ବ୍ୟବସ୍ଥାର ସମସ୍ତ ପ୍ରକାର କଡ଼ା ତଦାରଖ କରାଯିବ।
ମାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଜାବ ସଦାସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହିତ କରିଆସିଛି ଏବଂ ଏହି ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ମାଧ୍ୟମରେ ଦର୍ଶକଙ୍କୁ ପୁଣି ଥରେ ପାରମ୍ପରିକ ହକି ପ୍ରତିଦ୍ୱନ୍ଦ୍ୱିତା ଦେଖିବାର ସୁଯୋଗ ମିଳିବ।
କଡ଼ା ସୁରକ୍ଷା ବଳୟରେ ରହିବେ ପାକିସ୍ତାନୀ ଖେଳାଳି
ସୀମାନ୍ତରେ ତିକ୍ତତା ଓ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନୀ ଦଳର ଗସ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଖେଳାଳିମାନଙ୍କ ସୁରକ୍ଷା ପାଇଁ ପଞ୍ଜାବ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପରିସରକୁ ହାଇ-ଆଲର୍ଟରେ ରଖାଯିବ।
ଗତ କିଛି ବର୍ଷ ହେବ ଭାରତ-ପାକିସ୍ତାନ ମଧ୍ୟରେ କ୍ରୀଡ଼ା ସମ୍ପର୍କରେ ଶୀତଳତା ଦେଖାଦେଇଥିଲା। କ୍ରିକେଟ୍ କ୍ଷେତ୍ରରେ ଦ୍ୱିପାକ୍ଷିକ ସିରିଜ୍ ଦୀର୍ଘ ଦିନରୁ ବନ୍ଦ ରହିଥିବା ବେଳେ, କେବଳ ବହୁରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି।
Also Read: ଅଷ୍ଟମ ଥର ପାଇଁ ମହିଳା ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ, ଫାଇନାଲ୍ରେ ଶ୍ରୀଲଙ୍କାକୁ ଦେଲା ମାତ୍