ନୂଆଦିଲ୍ଲୀ: ବିଶ୍ୱ କୁସ୍ତି ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ ପାଇଁ ବିନେଶ ଫୋଗାଟ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । ଫଳରେ ଭାରତୀୟ କୁସ୍ତି ମହାସଂଘର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ବିନେଶ ଏହି ଚୟନ ପ୍ରକ୍ରିୟାରେ ଆଉ ଅଂଶ ଗ୍ରହଣ କରିପାରିବେ ନାହିଁ ।
ବିନେଶ ଫୋଗାଟ ଗର୍ଭାବସ୍ଥା, ସନ୍ତାନ ପ୍ରସବ ଓ ସୁସ୍ଥ ହେବା ପରେ ଏହି କୁସ୍ତି ଯୋଦ୍ଧା ପ୍ରତିଯୋଗିତାକୁ ଫେରିଛନ୍ତି। ମାତ୍ର କିନ୍ତୁ ବିଶ୍ୱ କୁସ୍ତି ପ୍ରତିଯୋଗିତା ପାଇଁ ଭାରତୀୟ କୁସ୍ତି ମହାସଂଘର ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ବିନେଶ ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଯେଉଁଥିପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଡବ୍ଲ୍ୟୁଏଫ୍ଆଇ କହିଛି ଯେ ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ ପାଇଁ ଘରୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ବାଧ୍ୟତାମୂଳକ । ମାତ୍ର ବିନେଶ କୌଣସି ଘରୋଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିନଥିବାରୁ ତାଙ୍କୁ ଏଥିରୁ ବାଦ ଦିଆଯାଇଛି ।
ସେପଟେ ହାଇକୋର୍ଟ କହିଛନ୍ତି ଯେ ଯେଉଁ ମହିଳା ଖେଳାଳିମାନେ ମାତୃତ୍ୱ ଜନିତ ଛୁଟିରେ ଯାଉଛନ୍ତି ସେମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଆଣିବାକୁ ଡବ୍ଲ୍ୟୁଏଫ୍ଆଇକୁ ପରାମର୍ଶ ଦେଇଛନ୍ତି ।
ଆସନ୍ତା ୧୪ ତାରିଖରେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିଅମରେ ଡବ୍ଲ୍ୟୁଏଫ୍ଆଇ ଚୟନ ପ୍ରକ୍ରିୟା ପାଇଁ ଯୋଗ୍ୟତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ମୋଟ ଛଅଟି ଅଲିମ୍ପିକ୍ ଓଜନ ବର୍ଗରେ ମହିଳା ଟ୍ରାଏଲ୍ ପାଇଁ ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୨୪ ରୁ ନଭେମ୍ବର ୦୧ ପର୍ୟ୍ୟନ୍ତ କାଜାଖସ୍ତାନର ଆସ୍ତାନାରେ ସିନିୟର ବିଶ୍ୱ କୁସ୍ତି ଚାମ୍ପିଅନସିପ୍ ୨୦୨୬ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଦଳରେ ଚୟନ ପ୍ରକ୍ରିୟା ଜାରି ରହିଛି ।