ଚେନ୍ନାଇ: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ୍ରେ ଇଷ୍ଟ ଜୋନ୍ (ପୂର୍ବ ଜୋନ୍)ର ଅଧିନାୟକ ଇଶାନ କିଷନଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଏକ ଐତିହାସିକ ଦ୍ୱିଶତକ। ସାଉଥ୍ ଜୋନ୍ (ଦକ୍ଷିଣ ଜୋନ୍) ବିପକ୍ଷ ଏହି ହାଇ-ଭୋଲ୍ଟେଜ୍ ମୁକାବିଲାରେ ମାତ୍ର ୨୭୦ଟି ବଲ୍ର ସାମ୍ନା କରି ଇଶାନ ନିଜର ଦ୍ୱିଶତକ ପୂରଣ କରିଛନ୍ତି। ଏହି ପାରି ସହ ସେ ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ମାରିଥିବା ପୂର୍ବ ଜୋନ୍ର ସର୍ବପ୍ରଥମ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ବିଶେଷ କରି ଇଶାନଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରରେ ମଧ୍ୟ ଏହା ତାଙ୍କର ପ୍ରଥମ ଦ୍ୱିଶତକ।
ବଦଳିଗଲା ପୂର୍ବ ଜୋନ୍ର ଇତିହାସ
ମ୍ୟାଚ୍ର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧୧୧ ରନ୍ କରି ଅପରାଜିତ ଥିବା ଇଶାନ, ଦ୍ୱିତୀୟ ଦିନ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ଏକ ଚୌକା ମାରି ୨୭୦ ବଲ୍ରେ ନିଜର ୨୦୦ ରନ୍ ପୂରା କରିଥିଲେ। ଦୁଲୀପ ଟ୍ରଫିର ଦୀର୍ଘ ୬୫ ବର୍ଷର ଇତିହାସରେ ପୂର୍ବରୁ କୌଣସି ବି ପୂର୍ବ ଜୋନ୍ ବ୍ୟାଟର ଫାଇନାଲ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିପାରି ନଥିଲେ। ଏହା ପୂର୍ବରୁ ୨୦୧୨ ଫାଇନାଲରେ ଋଦ୍ଧିମାନ ସାହାଙ୍କ ୧୭୦ ରନ୍ର ପାରି ପୂର୍ବ ଜୋନ୍ ପାଇଁ ଫାଇନାଲରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଥିଲା, ଯାହାକୁ ଇଶାନ ଭାଙ୍ଗି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।
ତେବେ ଦୁଲୀପ ଟ୍ରଫିରେ ପୂର୍ବ ଜୋନ୍ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରର ରେକର୍ଡ ଅରୁଣ ଲାଲଙ୍କ ନାମରେ ରହିଛି। ସେ ୧୯୮୬ ସେମିଫାଇନାଲରେ ୱେଷ୍ଟ ଜୋନ୍ ବିପକ୍ଷରେ ୨୮୭ ରନ୍ ସଂଗ୍ରହ କରିଥିଲେ।
ଦୁଲୀପ ଟ୍ରଫିରେ ପୂର୍ବ ଜୋନ୍ର ସର୍ବୋଚ୍ଚ ବ୍ୟକ୍ତିଗତ ପାରି
ଅରୁଣ ଲାଲ: ୨୮୭ ରନ୍
ଇଶାନ କିଷାନ: ୨୦୦+ ରନ୍
ଅରୁଣ ଲାଲ: ୨୧୪ ରନ୍
ସବା କରୀମ: ୨୦୦ ରନ୍
ଫାଇନାଲରେ ଦ୍ୱିଶତକ ମାରିଥିବା ବ୍ୟାଟର
ଦୁଲୀପ ଟ୍ରଫି ଫାଇନାଲରେ ଦ୍ୱିଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକା ବହୁତ ସୀମିତ। ଇଶାନଙ୍କ ପୂର୍ବରୁ ରମଣ ଲାମ୍ବା (୩୨୦ ରନ୍, ୧୯୮୭), ଅଂଶୁମାନ ଗାଏକୱାଡ (୨୧୬ ରନ୍, ୧୯୮୭), ଚେତେଶ୍ୱର ପୂଜାରା (୨୫୬* ରନ୍, ୨୦୧୬) ଏବଂ ଯଶସ୍ୱୀ ଜାଇସ୍ୱାଲ (୨୬୫ ରନ୍, ୨୦୨୨) ଏହି ଅସାଧାରଣ ସଫଳତା ସାଉଁଟି ଥିଲେ। ଏବେ ଏହି ସ୍ୱତନ୍ତ୍ର କ୍ଲବ୍ରେ ଶ୍ରେଷ୍ଠ ବ୍ୟାଟର ଭାବେ ଇଶାନ କିଷାନ ନିଜ ନାମ ସାମିଲ କରିଛନ୍ତି।