ନୂଆଦିଲ୍ଲୀ: କ୍ରିକେଟ୍ ମୈଦାନରେ ପୁଣି ଥରେ ଦେଖିବାକୁ ମିଳିଛି ଏକ ଅବିଶ୍ୱସନୀୟ ଓ ରୋମାଞ୍ଚକର ମ୍ୟାଚ୍। ହାରିଯାଇଥିବା ବାଜିକୁ ସିଧାସଳଖ ନିଜ ଆଡ଼କୁ ନେଇ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ପାକିସ୍ତାନର ଅଲରାଉଣ୍ଡର ଶାଦାବ ଖାନ୍। ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ୍ର ରବିବାର ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷ ୨୪୧ ରନ୍ର ପିଛା କରୁଥିବା ପାକିସ୍ତାନ ମାତ୍ର ୧୫୪ ରନ୍ରେ ୯ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ମାତ୍ର ଆଠ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶାଦାବ ଖାନ୍ଙ୍କ ଆକ୍ରମଣାତ୍ମକ ଶତକ ବଳରେ ପାକିସ୍ତାନ ୧ ୱିକେଟ୍ରେ ସ୍ମରଣୀୟ ବିଜୟ ହାସଲ କରିଛି।
୧୦ମ ୱିକେଟ୍ରେ ଐତିହାସିକ ରେକର୍ଡ
ପାକିସ୍ତାନର ୯ଟି ୱିକେଟ୍ ଖସିଯିବା ପରେ ଦଳକୁ ଜିତିବା ପାଇଁ ଆଉ ୮୮ ରନ୍ ଦରକାର ଥିଲା ଏବଂ ହାତରେ ଥିଲା ମାତ୍ର ଶେଷ ୱିକେଟ୍। ଏହି ସମୟରେ ୧୧ ନମ୍ବର ବ୍ୟାଟର ହାରିସ୍ ରୌଫଙ୍କ ସହ ମିଶି ଶାଦାବ ଖାନ୍ ୧୦ମ ୱିକେଟ୍ ପାଇଁ ୮୦ ବଲ୍ରୁ ୮୯ ରନ୍ର ଏକ ବିଶାଳ ଭାଗିଦାରୀ କରିଥିଲେ । ଦିନିକିଆ କ୍ରିକେଟ୍ରେ ସଫଳ ରନ୍ ପିଛା କରିବା ସମୟରେ ୧୦ମ ୱିକେଟ୍ ପାଇଁ ଏହା ହେଉଛି ସବୁଠାରୁ ବଡ଼ ସହଭାଗିତାର ରେକର୍ଡ। ଶାଦାବ ଖାନ୍ ମାତ୍ର ୯୬ଟି ବଲ୍ରୁ ୧୩ଟି ଚୌକା ଓ ୫ଟି ଛକା ସହାୟତାରେ ଅପରାଜିତ ୧୧୩ ରନ୍ର ଶତକୀୟ ପାରି ଖେଳି ଦଳକୁ ବିଜୟୀ କରାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ୪୬.୪ ଓଭରରେ ୨୪୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଓପନର ବେନ୍ ଡକେଟ୍ ୧୧୧ଟି ବଲ୍ରୁ ୧୦୫ ରନ୍ (୧୦ ଚୌକା, ୨ ଛକା) ସଂଗ୍ରହ କରିଥିଲେ। ପାକିସ୍ତାନ ପକ୍ଷରୁ ଅଧିନାୟକ ଶାହୀନ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ୍ ଅଖତିଆର କରିଥିଲେ।
୨୪୨ ରନ୍ର ପିଛା କରିଥିବା ପାକିସ୍ତାନର ଆରମ୍ଭ ଅତ୍ୟନ୍ତ ନିରାଶାଜନକ ଥିଲା। ମାତ୍ର ୩୧ ରନ୍ରେ ଦଳର ୩ଟି ୱିକେଟ୍ ପଡ଼ିଯାଇଥିଲା। ଗୋଟିଏ ପଟେ କ୍ରମାଗତ ୱିକେଟ୍ ପତନ ଯୋଗୁଁ ୧୫୪ ରନ୍ରେ ୯ ୱିକେଟ୍ ହରାଇ ପ୍ରାୟ ସମସ୍ତ ଆଶା ମାଟିରେ ମିଶିଯାଇଥିବା ବେଳେ ଶାଦାବ ଓ ରୌଫଙ୍କ ଯୋଡ଼ି ୪୭.୧ ଓଭରରେ ୯ ୱିକେଟ୍ ହରାଇ ୨୪୩ ରନ୍ ସହ ପାକିସ୍ତାନକୁ ନାଟକୀୟ ବିଜୟ ଭେଟି ଦେଇଥିଲେ।