ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଶୁକ୍ରବାର ଜୁନିୟର କ୍ରିକେଟ୍ ଦଳ ପାଇଁ ଜୁନିୟର ଚୟନ କମିଟିର ନୂତନ ଅଧ୍ୟକ୍ଷ ଘୋଷଣା କରିଛି । ପୂର୍ବତନ କ୍ରିକେଟର୍ ପରବିନ୍ଦର ଅବାନାଙ୍କୁ ମୁଖ୍ୟ ଚୟନ କର୍ତ୍ତା ଭାବେ ବିସିସିଆଇ ନିଯୁକ୍ତ କରିଛି । ଏହା ସହିତ କୃଷ୍ଣା ଦାସ, ରାକେଶ ପଟେଲ ଏବଂ ଏନ୍ ଅର୍ଜୁନ ଯାଦବ ଚୟନ କମିଟିରେ ସ୍ଥାନ ମିଳିଛି । ପଞ୍ଚମ ସଦସ୍ୟଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ ।
କ୍ରିକେଟ୍ ପରାମର୍ଶଦାତା କମିଟି ବା ସିଏସି କନିଷ୍ଠ ଦଳର ମୁଖ୍ୟ ଚୟନକର୍ତ୍ତା ଏବଂ ସଦସ୍ୟଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରିଥିଲା । କମିଟି ଆବେଦନକାରୀଙ୍କ ସାକ୍ଷାତକାର ନେବା ପରେ ପରବିନ୍ଦରଙ୍କୁ ଅଧ୍ୟକ୍ଷଭାବେ ନିଯୁକ୍ତ କରିବାକୁ ସୁପାରିଶ କରିଥିଲା । ସିଏସିର ସୁପାରିଶ ଆଧାରରେ ବିସିସିଆଇ ପରବିନ୍ଦରଙ୍କୁ ଚୟନ କମିଟିର ଅଧ୍ୟକ୍ଷ ଘୋଷଣା କରିଛି ।
୪୦ ବର୍ଷିୟ ପରବିନ୍ଦର ଭାରତ ପାଇଁ ମାତ୍ର ଦୁଇଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ସେ ୬୨ କ୍ଲାସ୍-ଏ ମ୍ୟାଚରେ ୧୯୧ଟି ୱିକେଟ୍ ହାସଲ କରିଛନ୍ତି । ସେ ଦିଲ୍ଲୀ, ଇଣ୍ଡିଆ-ଏ ଏବଂ ରେଷ୍ଟ ଅଫ୍ ଇଣ୍ଡିଆ ଦଳ ପାଇଁ ପ୍ରତିନିଧିତ୍ୱ କରିସାରିଛନ୍ତି । ଆଇପିଏଲରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପାଇଁ ମଧ୍ୟ ଖେଳିଛନ୍ତି ।
ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ । ସେ ଦିଲ୍ଲୀର ଅଣ୍ଡର-୧୬, ଅଣ୍ଡର-୧୯ ଏବଂ ଅଣ୍ଡର-୨୩ ଦଳ ସହିତ କାମ କରିଛନ୍ତି। ଏହା ବ୍ୟତୀତ, ସେ ଭାରତୀୟ ଅଣ୍ଡର-୧୯ ଦଳ ଏବଂ BCCI/COE ଅଧୀନରେ ଥିବା ବିଭିନ୍ନ ଉଚ୍ଚ-ଦକ୍ଷତା କାର୍ଯ୍ୟକ୍ରମ ସହିତ ମଧ୍ୟ ଜଡ଼ିତ ରହିଛନ୍ତି।