ସାଧାରଣ ଥଣ୍ଡା, ସର୍ଦ୍ଦି କିମ୍ବା ଆଲର୍ଜି ଯୋଗୁଁ କାଶ ହେବା ସ୍ୱାଭାବିକ। କିନ୍ତୁ କାଶ ଯଦି ଦିନ ପରେ ଦିନ ଲାଗି ରହୁଛି, ତେବେ ଏହାକୁ ହାଲୁକା ଭାବେ ନେବା ଠିକ୍ ନୁହେଁ। କାରଣ, ଲଗାତାର କାଶ ଆଜ୍ମା, ବ୍ରୋଙ୍କାଇଟିସ୍, ଫୁସ୍ଫୁସ୍ ସଂକ୍ରମଣ ଏପରିକି ଯକ୍ଷ୍ମା ବା ଟିବିର ଲକ୍ଷଣ ମଧ୍ୟ ହୋଇପାରେ। ବିଶେଷକରି ତିନି ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ କାଶ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
କାହିଁକି ହୁଏ ଲଗାତାର କାଶ?
କାଶ ଶରୀରର ଏକ ସ୍ୱାଭାବିକ ପ୍ରତିକ୍ରିୟା। ଏହା ଶ୍ୱାସନଳୀରୁ ଧୂଳି, କଫ ଓ ଅନ୍ୟ ଉତ୍ତେଜକ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ। ତେବେ ଦୀର୍ଘସ୍ଥାୟୀ କାଶ ପଛରେ ଏକାଧିକ କାରଣ ରହିପାରେ।
- ଆଲର୍ଜି ଓ ଆଜ୍ମା
- ବ୍ରୋଙ୍କାଇଟିସ୍ ଏବଂ ଫୁସ୍ଫୁସ୍ ସଂକ୍ରମଣ
- ଧୂମପାନ ଓ ଧୂଳିଧୂଆଁର ପ୍ରଭାବ
- ପେଟର ଅମ୍ଳ ଖାଦ୍ୟନଳୀ ଦେଇ ଗଳାକୁ ଉଠିବା
- ଯକ୍ଷ୍ମା ବା ଟିବି ଭଳି ରୋଗ
କାଶ ସହ ଏହି ଲକ୍ଷଣ ଦେଖାଦେଲେ ସାବଧାନ!
କେବଳ କାଶ ହେଉଥିବାରୁ ଯକ୍ଷ୍ମା ହୋଇଛି ବୋଲି ଧରିନେବା ଠିକ୍ ନୁହେଁ। କିନ୍ତୁ ଦୀର୍ଘ ସମୟ କାଶ ସହ ଅନ୍ୟ କିଛି ଲକ୍ଷଣ ଦେଖାଦେଲେ ସତର୍କ ହେବା ଆବଶ୍ୟକ।
- କଫ ବାହାରିବା ସହ ଦୀର୍ଘସ୍ଥାୟୀ କାଶ
- ଜ୍ୱର ଓ ରାତିରେ ଅଧିକ ଝାଳ ବାହାରିବା
- ବିନା କାରଣରେ ଓଜନ ହ୍ରାସ
- ଭୋକ କମିଯିବା
- ଛାତିରେ ଯନ୍ତ୍ରଣା ଓ ନିଃଶ୍ୱାସ ନେବାରେ କଷ୍ଟ
- କଫରେ ରକ୍ତ ପଡ଼ିବା
ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି କଫରେ ରକ୍ତ ପଡ଼ିଲେ ତୁରନ୍ତ ଚିକିତ୍ସା ସହାୟତା ନିଅନ୍ତୁ।
କେଉଁ ପରୀକ୍ଷା କରିବାକୁ ପଡ଼ିପାରେ?
କାଶର ଅବଧି, ଅନ୍ୟ ଲକ୍ଷଣ ଓ ରୋଗୀଙ୍କ ଅଭ୍ୟାସକୁ ବିଚାରକୁ ନେଇ ଡାକ୍ତର ଆବଶ୍ୟକ ପରୀକ୍ଷା କରାଇପାରନ୍ତି। ଏଥିରେ କଫ ପରୀକ୍ଷା, ଛାତିର ଏକ୍ସ-ରେ ଏବଂ ଫୁସ୍ଫୁସ୍ର କାର୍ଯ୍ୟକ୍ଷମତା ପରୀକ୍ଷା ସାମିଲ ହୋଇପାରେ। ପରୀକ୍ଷାର ଫଳାଫଳ ଅନୁସାରେ ଚିକିତ୍ସା କରାଯାଏ।
କାଶରୁ ରକ୍ଷା ପାଇଁ କ’ଣ କରିବେ?
ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ଧୂଳି ଓ ଧୂଆଁଠାରୁ ଦୂରେଇ ରୁହନ୍ତୁ ଏବଂ ଧୂମପାନ କରୁଥିଲେ ତାହା ବନ୍ଦ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ କିମ୍ବା ଅନ୍ୟ ଔଷଧ ଖାଆନ୍ତୁ ନାହିଁ। ମନେ ରଖନ୍ତୁ, ତିନି ସପ୍ତାହରୁ ଅଧିକ ସମୟ କାଶ ଲାଗି ରହିଲେ ଏହାକୁ ସାଧାରଣ ଥଣ୍ଡା ଭାବି ଅଣଦେଖା କରନ୍ତୁ ନାହିଁ। ସମୟରେ ଡାକ୍ତରଙ୍କ ପରାମର୍ଶ ନେଲେ ରୋଗର କାରଣ ଜାଣି ଉପଯୁକ୍ତ ଚିକିତ୍ସା କରାଯାଇପାରିବ।