ନୂଆଦିଲ୍ଲୀ: ଡେଙ୍ଗୁର ମୁକାବିଲା କରିବ “କ୍ୟୁଡେଙ୍ଗା” ଟୀକା (QDENGA Vaccine) । ଭାରତ ପ୍ରଥମ ଡେଙ୍ଗୁ ଭ୍ୟାକସିନ “କ୍ୟୁଡେଙ୍ଗା”କୁ ମଞ୍ଜୁରି ପ୍ରଦାନ କରିଛି । ଜାପାନର ଫାର୍ମା କମ୍ପାନୀ ଟାକେଡା (Takeda) ଦ୍ୱାରା ପ୍ରସ୍ତୁକ ଏହି ଟୀକାକୁ ଭାରତ ଡ୍ରଗ୍ କଣ୍ଟ୍ରୋଲ ଜେନରାଲ (ଡିସିଜିଆଇ) ଏହାକୁ ଅନୁମତି ଦେଇଛି । ୪ ବର୍ଷ ଶିଶୁଙ୍କ ଠାରୁ ଆରମ୍ଭ କରି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର୍ୟ୍ୟନ୍ତ ଟୀକାକରଣ କରିପାରିବେ ।
ପ୍ରତିବର୍ଷ ଭାରତରେ ମୌସୁମୀର ଆଗମନ ପରେ ଡେଙ୍ଗୁର ପ୍ରାଦୁର୍ଭାବ ବଢ଼େ । ପ୍ରତ୍ୟେକ ସହରରେ ହଜାର ହଜାର ସଂଖ୍ୟାରେ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି । ଏହାର ନିରାକରଣ ପାଇଁ ଭାରତ ସରକାର କ୍ୟୁଡେଙ୍ଗା ଟୀକାକୁ ମଞ୍ଜୁର ପ୍ରଦାନ କରିଛନ୍ତି । ଭାରତରେ ମଞ୍ଜୁର ହେବାକୁ ଥିବା ଏହା ପ୍ରଥମ ଡେଙ୍ଗୁ ଟୀକା । ଏହାକୁ ଲଗାଇବାକୁ କୌଣସି ପରୀକ୍ଷାର ଆବଶ୍ୟକତା ନାହିଁ । ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଏବଂ ନ ହୋଇଥିବା ବ୍ୟକ୍ତି ଏହି ଟୀକାକରଣ କରାଇପାରିବେ । ୪ ବର୍ଷ ଶିଶୁଙ୍କ ଠାରୁ ଆରମ୍ଭ କରି ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର୍ୟ୍ୟନ୍ତ ଟୀକାକରଣ କରିପାରିବେ । ତିନି ମାସ ବ୍ୟବଧାନରେ ମାତ୍ର ଦୁଇଟି ଡୋଜ୍ ଡେଙ୍ଗୁ ଟୀକା ନେବାକୁ ପଡ଼ିବ ।
QDENGA ଭ୍ୟାକସିନର ବିଶେଷତ୍ୱ
ଡେଙ୍ଗୁର ଭୂତାଣୁ ପ୍ରାୟତଃ 4 ପ୍ରକାର ଅଟେ । କିନ୍ତୁ ସମସ୍ତ ପ୍ରକାର ଭୂତାଣୁ ପାଇଁ କେବଳ ଗୋଟିଏ ହିଁ ଟୀକା କ୍ୟୁଡେଙ୍ଗା ନେବାକୁ ପଡ଼ିବ । କମ୍ପାନୀ ଦାବି କରିଛି, କ୍ୟୁଡେଙ୍ଗା ବ୍ୟାପକ ଗବେଷଣା କରିଛି । ଏହି ଟୀକା ଏପର୍ଯ୍ୟନ୍ତ ୨୮,୦୦୦ ରୁ ଅଧିକ ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଛି । କ୍ଲିନିକାଲ୍ ପରୀକ୍ଷଣରୁ ଜଣାପଡିଛି ଯେ ଦ୍ୱିତୀୟ ଡୋଜ୍ ଦେବାର ୧୨ ମାସ ପରେ ଡେଙ୍ଗୁ ରୋକିବାରେ ଏହା ୮୦.୨% ପ୍ରଭାବଶାଳୀ ଅଟେ । ଏହା ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେବାର ବିପଦକୁ ୯୦.୪% ହ୍ରାସ କରିବାରେ ସଫଳ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ସାଢ଼େ ଚାରି ବର୍ଷ ପରେ ମଧ୍ୟ ଡେଙ୍ଗୁ ଯୋଗୁଁ ହସ୍ପିଟାଲରେ ଭର୍ତ୍ତିକୁ ରୋକିବାରେ ଏହି ଟୀକା ୮୪.୧% ପ୍ରଭାବଶାଳୀ ରହିଛି । ଏହାର ସୁରକ୍ଷା ଏବଂ ପ୍ରଭାବ ୭ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଛି ମଞ୍ଜୁରି
ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କ୍ୟୁଡେଙ୍ଗା ଟୀକାକୁ ସୁପାରିଶ କରିଛି । ଯେଉଁ ଦେଶରେ ଡେଙ୍ଗୁର ମାତ୍ରାଧିକ ପ୍ରଭାବ ରହିଛି ସେହି ଦେଶମାନେ ଏହାକୁ ବ୍ୟବହାର କରିପାରିବେ । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁଣାବତ୍ତା, ସୁରକ୍ଷା ଏବଂ ପ୍ରଭାବ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି । ପୂର୍ବରୁ ୪୩ଟି ଦେଶ ଏହି ଟୀକାକୁ ମଞ୍ଜୁରି ପ୍ରଦାନ କରିଥିବାବେଳେ ୪୪ ତମ ଦେଶ ଭାରତ ଏଥିରେ ସାମିଲ ହୋଇଛି । ବିଶ୍ୱରେ ୩.୨ କୋଟି ଡୋଜ୍ ବଣ୍ଟନ ସରିଛି । ବ୍ରାଜିଲ, ଆର୍ଜେଣ୍ଟିନା, କଲମ୍ବିଆ ଏବଂ ଇଣ୍ଡୋନେସିଆରେ ଏହା ସାଧାରଣ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛି ।
ଭାରତରେ ଡେଙ୍ଗୁର ସ୍ଥିତି ଚିନ୍ତାଜନକ । ବିଶ୍ୱରେ ଡେଙ୍ଗୁ ଆକ୍ରାନ୍ତରେ ଭାରତରେ କେବଳ ଏକ ତୃତୀୟାଂଶ ରୋଗୀ ଅଟନ୍ତି । ଗତ ୨୦ ବର୍ଷ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୦୨୫ରେ ଦେଶର ୧ ଲକ୍ଷ ୧୩ ହଜାର ଡେଙ୍ଗୁ ମାମଲା ସାମ୍ନାକୁ ଆସିଛି । କିନ୍ତୁ ପ୍ରକୃତ ସଂଖ୍ୟା ଏହା ଠାରୁ ଆହୁରି ଅଧିକ ।