ଅଗରତାଲା: ତ୍ରିପୁରାରୁ ବର୍ତ୍ତମାନ ବହୁତ ବଡ ଖବର ଆସିଛି । ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଧନଖଡଙ୍କ ମୃତଦେହ ମିଳିଛି । ଅଗରତାଲାରେ ପୋଲିସ ମୁଖ୍ୟାଳୟରେ ତାଙ୍କ ମୃତଦେହ ମିଳିଥିବା ଜଣା ପଡିଛି । ଘଟଣାର ସୂଚନା ମିଳିବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଡିଜିପିଙ୍କୁ ତୁରନ୍ତ ଅଗରତାଲା ସ୍ଥିତ ଜିବି ପନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ୧୯୯୪ ବ୍ୟାଚର ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଅପ୍ରତ୍ୟାଶିତ ମୃତ୍ୟୁ ପୂରା ରାଜ୍ୟରେ ଚହଳ ପକାଇଛି । ପୂରା ପ୍ରଶାସନିକ ସ୍ତରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ଖବର ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ତୁରନ୍ତ ପୋଲିସ ମୁଖ୍ୟାଳୟ ପହଞ୍ଚିଛନ୍ତି ।
ମୁଖ୍ୟ ସଚିବ ଜେକେ ସିହ୍ନା ସହିତ ଗୃହ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଏବଂ ପୋଲିସ ବଳ ଜିବି ହସ୍ପିଟାଲ ପହଞ୍ଚିଛନ୍ତି । ପୋଲିସ ମୁଖ୍ୟାଳୟ ଭିତରେ ବରିଷ୍ଠ ଅଧିକାରୀ ସ୍ଥିତି ସମ୍ଭାଳିବା ସହ ତଦନ୍ତ ଆରମ୍ଭ କରି ଦେଇଛନ୍ତି ।
ନିଜକୁ ମାରିଲେ ଗୁଳି ?
ପ୍ରାରମ୍ଭିକ ଖବର ମୁତାବକ, ସେ ନିଜର ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରିଛନ୍ତି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ସେ ଫାଶି ଲଗାଇଛନ୍ତି ଏବଂ ଅଫିସ ରୁମରେ ଆଟାଚ୍ ବାର୍ଥରୁମରୁ ତାଙ୍କ ମୃତଦେହ ମିଳିଛି । ହେଲେ ଏହାର ଆନୁଷ୍ଠାନିକ ସୂଚନା ମିଳି ନାହିଁ ।
ଡିଜିପି ଅନୁରାଗ ଧନଖଡ ୨୦୨୫ ମେରେ ତ୍ରିପୁରା ପୋଲିସ ପ୍ରମୁଖ ପଦ ସମ୍ଭାଳିଥିଲେ । ସେ ନିଜର ତିନି ଦଶନ୍ଧିର ଲମ୍ବା କ୍ୟାରିୟରରେ ସିବିଆଇ, ବିଏସଏଫ ଓ କୋସୋଭୋ ମିଳିତ ଜାତିସଂଘ ମିଶନ ପରି ଅନେକ ମହତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି ।
ଶୀର୍ଷ ପଦରେ ଥିବା ଜଣେ ଅନୁଭବୀ ଅଧିକାରୀ ଏମିତି ପଦକ୍ଷେପ ନେବେ କେହି ବିଶ୍ୱାସ କରି ପାରୁ ନାହାନ୍ତି । ମୃତ୍ୟୁର କାରଣ ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇ ôଯାଇଛି । ମାମଲାର ପ୍ରକୃତ କାରଣ ଜାଣିବା ପାଇଁ ରାଜ୍ୟ ସରକାର ଶୀଘ୍ର ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିବାକୁ ଯାଉଛନ୍ତି ।