କୋଲକାତା: ଅଭିନେତା ରଣବୀର କପୁରଙ୍କ ଅଭିନୀତ ଆଗାମୀ ବ୍ଲକବଷ୍ଟର ଫିଲ୍ମ ‘ରାମାୟଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଦଶହରା ପବିତ୍ର ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’କୁ ରାଜ୍ୟରେ ସମ୍ପୂର୍ଣ୍ଣ କରମୁକ୍ତ କରାଯିବ।
ଆଗାମୀ ନଭେମ୍ବର ୫ ତାରିଖରେ ଏହି ମେଗା ବଜେଟ୍ ଫିଲ୍ମ ସିନେମାଘରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର ରିଲିଜ୍ ପୂର୍ବରୁ ଆଜିଠାରୁ ଏହାର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି।ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ‘ଦ କେରଳ ଷ୍ଟୋରି’, ‘ଦ କଶ୍ମୀର ଫାଇଲ୍ସ’ ଏବଂ ‘ଦ ବେଙ୍ଗଲ ଫାଇଲ୍ସ’ ଭଳି ଫିଲ୍ମକୁ ଯେପରି ଟ୍ୟାକ୍ସ ଫ୍ରି କରାଯାଇଥିଲା, ସେହିପରି ରଣବୀର କପୁରଙ୍କ ‘ରାମାୟଣ’ ମଧ୍ୟ ଏହି ସୁବିଧା ପାଇବ। କେବଳ ସେତିକି ନୁହେଁ, ଆଗାମୀ ଦିନରେ ଭଗବାନ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ କାହାଣୀ ଉପରେ ଆଧାରିତ ଫିଲ୍ମଗୁଡ଼ିକୁ ମଧ୍ୟ ରାଜ୍ୟରେ କରମୁକ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଫିଲ୍ମ
‘ରାମାୟଣ’ ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହାର ପ୍ରଯୋଜକ ନମିତ ମଲହୋତ୍ରାଙ୍କ ସୂଚନା ଅନୁଯାୟୀ, ଫିଲ୍ମର ଦୁଇଟି ଭାଗ ନିର୍ମାଣ ପାଇଁ ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟ୍ ଖର୍ଚ୍ଚ ହୋଇଛି।ଏହି ଫିଲ୍ମର ପ୍ରଥମ ଭାଗ ଚଳିତବର୍ଷ ନଭେମ୍ବର ୫ ତାରିଖରେ (ଦୀପାବଳି ପୂର୍ବରୁ) ବିଶ୍ୱବ୍ୟାପୀ ପରଦାକୁ ଆସିବ। ଏଥିରେ ଶ୍ରୀରାମଙ୍କ ଜନ୍ମଠାରୁ ଆରମ୍ଭ କରି ସୀତା ହରଣ ପର୍ଯ୍ୟନ୍ତ କାହାଣୀ ଦେଖିବାକୁ ମିଳିବ। ସେହିପରି ଦ୍ୱିତୀୟ ଭାଗଟି ୨୦୨୭ ଦୀପାବଳିରେ ରିଲିଜ୍ ହେବ। ବିଖ୍ୟାତ ନିର୍ଦ୍ଦେଶକ ନିତେଶ ତିୱାରୀ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଭିଜୁଆଲ୍ ଏଫେକ୍ଟସ୍ ଏବଂ ଟ୍ରେଲର୍ ଝଲକକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି।
ଆଡଭାନ୍ସ ବୁକିଂରେ ଧମାକା
ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। ରିଲିଜ୍ ହେବାକୁ ଆହୁରି ଦିନେ କିମ୍ବା ପନ୍ଦର ଦିନ ବାକି ଥିବାବେଳେ କେବଳ ଆଡଭାନ୍ସ ବୁକିଂ ଜରିଆରେ ଫିଲ୍ମଟି କୋଟିକୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ବିଶେଷକରି ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନରେ ଫିଲ୍ମର ଟିକେଟ୍ ବେଶ୍ ଆଗ୍ରହର ସହ ବିକ୍ରି ହେଉଛି।