ନୂଆଦିଲ୍ଲୀ: ବଲିଉଡ୍ର ସବୁଠାରୁ ବଡ଼ ଏବଂ ବହୁପ୍ରତୀକ୍ଷିତ ପୁରାଣ ଆଧାରିତ ଫିଲ୍ମ 'ରାମାୟଣ' କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଫିଲ୍ମର ଦ୍ୱିତୀୟ ଟ୍ରେଲର୍ ରିଲିଜ୍ ହୋଇଯାଇଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ନୀତେଶ ତିଆରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମର ଭିଜୁଆଲ୍ ଏବଂ କଳାକାରଙ୍କ ଲୁକ୍ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି।
ଟ୍ରେଲ୍ର ଆରମ୍ଭ ଏକ ଶକ୍ତିଶାଳୀ ଭଏସ୍-ଓଭରରୁ ହୁଏ, ଯେଉଁଥିରେ କୁହାଯାଇଛି ଏକ ଯୁଗ ଏମିତି ବି ଥିଲା, ଯେତେବେଳେ ମାନବ ଭୂମିରେ ଭଗବାନ ବାସ କରୁଥିଲେ। କିନ୍ତୁ ଭଗବାନ ବ୍ରହ୍ମାଙ୍କ ବରଦାନ ଜଣେ ଅସୁରକୁ ଏତେ ଶକ୍ତିଶାଳୀ କରିଦେଲା ଯେ ତାହାର ପ୍ରକୋପରେ ମାନବତା ଧ୍ୱଂସର ଦ୍ୱାରଦେଶରେ ପହଞ୍ଚିଗଲା।" ଟ୍ରେଲରରେ ପ୍ରଭୁ ଶ୍ରୀରାମ ଏବଂ ଲଙ୍କାପତି ରାବଣ ମଧ୍ୟରେ ହେବାକୁ ଥିବା ମହାସଂଗ୍ରାମର ଏକ ଭବ୍ଯ ଝଲକ ଦେଖିବାକୁ ମିଳିଛି।
ଏହି ମେଗା ଫିଲ୍ମରେ ବଲିଉଡ୍ରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ସିନେମାର ଦିଗ୍ଗଜ କଳାକାରମାନେ ଏକାଠି ନଜର ଆସିବେ। ଏଥିରେ ରଣବୀର କପୁର ପ୍ରଭୁ ଶ୍ରୀରାମ, ସାଇ ପଲ୍ଲବୀ ମା' ସୀତା ଏବଂ ସାଉଥ୍ ଷ୍ଟାର୍ ୟଶ ଲଙ୍କାପତି ରାବଣ ଭୂମିକାରେ ଅଭିନୟ କରୁଛନ୍ତି। ଏହାବ୍ୟତୀତ ସନ୍ନି ଦେଓଲ୍ (ହନୁମାନ), ରବି ଦୁବେ (ଲକ୍ଷ୍ମଣ), ଲାରା ଦତ୍ତା, ରକୁଲ ପ୍ରୀତ ସିଂହ, କାଜଲ ଅଗରୱାଲ ଏବଂ ଅରୁଣ ଗୋଭିଲ୍ ପ୍ରମୁଖ ପ୍ରମୁଖ ଭୂମିକାରେ ନଜର ଆସିବେ।
ଫିଲ୍ମର ସଙ୍ଗୀତକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚା ଚାଲିଛି, ଯେଉଁଠାରେ ବିଶ୍ୱବିଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ. ଆର. ରହମନ୍ ଏବଂ ହାନସ୍ ଜିମର୍ ପ୍ରଥମଥର ପାଇଁ ଏକାଠି କାମ କରୁଛନ୍ତି। ଫିଲ୍ମର ଭିଏଫ୍ଏକ୍ସ 'DNEG' ଦ୍ୱାରା ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶକ ନୀତେଶ ତିଆରୀଙ୍କ ଏହି ବହୁପ୍ରତୀକ୍ଷିତ ଫିଲ୍ମଟି ଆସନ୍ତା ଦୀପାବଳିରେରେ ସିନେମାଘରକୁ ଆସିବ ଏବଂ ଏହାର ଦ୍ୱିତୀୟ ପାର୍ଟ ଆସନ୍ତା ବର୍ଷ ଦୀପାବଳିରେରେ ମୁକ୍ତିଲାଭ କରିବ।