ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଅମିର ଖାନଙ୍କ ଭଣଜା ଇମରାନ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିଛି । କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରେ ସାମିଲ ହେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ତୁରନ୍ତ ଦେଶ ଛାଡ଼ିବାକୁ ଇମରାନଙ୍କୁ ମୁମ୍ବାଇ ପୋଲିସ ନୋଟିସ୍ ଜାରି କରିଛି । ଆସନ୍ତା ୨୮ ଅକ୍ଟୋବର ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସରେ ନିର୍ଦ୍ଦେଶ ରହିଛି ।
୧୦ ଅକ୍ଟୋବରରେ, ମୁମ୍ବାଇର କ୍ରାନ୍ତି ମଇଦାନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ପକ୍ଷରୁ କରାଯାଉଥିବା ଆନ୍ଦୋଳନରେ ଇମରାନ ସାମିଲ ହୋଇଥିଲେ । ଏହି ସମୟରେ ପୋଲିସ ଇମରାନଙ୍କ ସହିତ ପ୍ରାୟ ୪୦୦ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ ଅଟକ ରଖିଥିଲା । ଇମିଗ୍ରେସନ୍ ଆଇନ ଅନୁସାରେ ଇମରାନକୁ ଦେଶ ଛାଡ଼ିବାକୁ ମୁମ୍ବାଇ ପୋଲିସ ନିର୍ଦ୍ଦେଶ ଦେଇଛି ।
ମୁମ୍ବାଇ ପୋଲିସ କହିଛି ଯେ ଜଣେ ଅଣ ନାଗରିକ ଭାବରେ ଭାରତରେ ଆନ୍ଦୋଳନ କରିବାର ଇମରାନଙ୍କ ଅଧିକାର ନାହିଁ । ପ୍ରବାସନ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଆମେରିକାରେ ଜନ୍ମ ଇମରାନ
ଇମରାନ ଖାନ ଭାରତର ନାଗରିକ ନୁହଁନ୍ତି । ସେ ଆମେରିକାର ସ୍ଥାୟୀ ବାସିନ୍ଦା ଅଟନ୍ତି । ସେ ସେଠାକାର ନାଗରିକତ୍ୱ ଗ୍ରହଣ କରିଛନ୍ତି । କାରଣ ୧୩ ଜାନୁୟାରୀ, ୧୯୮୩ ମସିହାରେ ଇମରାନ ଆମେରିକାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପାଖରେ ଆମେରିକାର ପାସପୋର୍ଟ ସହିତ ଭାରତର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ ବା ଓସିଆଇ କାର୍ଡ ରହିଛି । ଯେଉଁଥିପାଇଁ ତାଙ୍କ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି । କାରଣ ଓସିଆଇ କାର୍ଡଧାରୀ କିମ୍ବା ଅଣନାଗରିକଙ୍କର ଭାରତ ରାଜନୈତିକ କାର୍ୟ୍ୟକ୍ରମ କିମ୍ବା ଆନ୍ଦୋଳନରେ ଅଂଶ ଗ୍ରହଣ କରିବାର ଅଧିକାର ନାହିଁ ।
ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମୈୟା ଇମରାନଙ୍କ ନାଗରିକତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ପୋଲିସ ଏବଂ ପ୍ରବାସନ ଅଧିକାରୀଙ୍କୁ ଏହାର ଯାଞ୍ଚ ପାଇଁ ଦାବି କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଇମରାନ ଜଣେ ଶିଶୁ କଳାକାର ଭାବରେ “କୟାମତ ସେ କୟାମତ ତକ୍” ଅଭିନୟ କରି ଫିଲ୍ମ ଦୁନିଆକୁ ଆସିଥିଲେ । ଏହା ପରେ ସେ “ଜୋ ଜିତା ୱହି ସିକନ୍ଦର”ରେ ମଧ୍ୟ ଶିଶୁ କଳାକାର ଥିଲେ । ୨୦୦୮ ମସିହାରେ “ଜାନେ ତୁ ୟା ଜାନେନା”ରେ ମୁଖ୍ୟ ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ଏହା ପରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ କଣ୍ଠଦାନ ମଧ୍ୟ କରିଛନ୍ତି ।