ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର, ସାଇ ପଲ୍ଲବୀ ଏବଂ ସାଉଥ୍ର ସୁପରଷ୍ଟାର ଯଶଙ୍କ ଅଭିନୀତ ବହୁଚର୍ଚ୍ଚିତ ପୁରାଣ ଆଧାରିତ ଫିଲ୍ମ 'ରାମାୟଣ'କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନୀତେଶ ତି୍ୱାରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ସବୁଠୁ ହାଇ ବଜେଟ୍ ଫିଲ୍ମର ସେଟ୍ରେ ଭୟାନକ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ସେଟ୍ରୁ ହଠାତ୍ ଧୂଆଁ ଓ ନିଆଁ ବାହାରିବାରୁ ସେଠାରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା।
ମିଳିଥିବା ସୂଚନା ମୁତାବକ, ମୁମ୍ବାଇର ଫିଲ୍ମ ସିଟି ପରିସରରେ ନିର୍ମିତ ଏହି ଫିଲ୍ମର ଏକ ଅସ୍ଥାୟୀ ସେଟର ବାହାର ପାଶ୍ୱର୍ ଟେଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE)ର ମୁଖ୍ୟ ବି.ଏନ୍. ତିୱାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ତେବେ ସମୟ ଅନୁସାରେ ଅଗ୍ନିଶମ ବାହିନୀ ଓ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଶୀଘ୍ର ଆୟତ୍ତ କରାଯାଇଥିଲା, ଯାହାଫଳରେ ଏକ ବଡ଼ଧରଣର ବିପର୍ଯ୍ୟୟ ଟଳି ଯାଇଛି।
ସବୁଠାରୁ ଆଶ୍ୱସ୍ତିକର କଥା ହେଲା ଯେ, ଏହି ଅଗ୍ନିକାଣ୍ଡରେ କେହି ମଧ୍ୟ ଆହତ ହୋଇନାହାନ୍ତି କିମ୍ବା କୌଣସି ଜୀବନହାନି ହୋଇନାହିଁ। ନିଆଁ ଲାଗିବା ମାତ୍ରେ ସୁରକ୍ଷା କର୍ମୀମାନେ ସତର୍କ ହୋଇଯାଇଥିଲେ ଏବଂ ଅଧିକ କ୍ଷତି ହେବା ପୂର୍ବରୁ ନିଆଁକୁ ଲିଭାଇ ଦିଆଯାଇଥିଲା। ତେବେ ଏହି ଘଟଣା ପରେ ଫିଲ୍ମ ସେଟ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଏବଂ ନିୟମାବଳୀକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।