ମୁମ୍ବାଇ: ଭାରତୀୟ ଟି୨୦ ଦଳର ବିଶ୍ୱବିଜୟୀ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ବଡ଼ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଜାତୀୟ ଦଳରୁ ବାଦ୍ ପଡ଼ିବା ପରେ ଏବେ ସେ ମୁମ୍ବାଇର ରଣଜୀ ଟ୍ରଫି ଦଳରୁ ମଧ୍ୟ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଛି। ସୋମବାର ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଚଣ୍ଡିଗଡ଼ ବିପକ୍ଷରେ ଖେଳାଯିବାକୁଥିବା ପ୍ରଥମ ମ୍ୟାଚ୍ ପାଇଁ ନିଜର ସ୍କ୍ୱାଡ୍ ଘୋଷଣା କରିଛି। ଏହି ଦଳରେ ସିଦ୍ଧେଶ ଲାଡ଼ଙ୍କୁ ଅଧିନାୟକ କରାଯାଇଥିବା ବେଳେ ଯୁବ ବ୍ୟାଟ୍ସମ୍ୟାନ୍ ଆୟୁଷ ମହାତ୍ରେଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରୁ ସୂର୍ଯ୍ୟକୁମାରଙ୍କ ନାମ ସମ୍ପୂର୍ଣ୍ଣ ଗାଏବ ରହିଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇକୁ ୨୦୨୬-୨୭ ରଣଜୀ ସିଜିନର ପ୍ରଥମ ମୁକାବିଲା ଚଣ୍ଡିଗଡ଼ ବିପକ୍ଷରେ ଅକ୍ଟୋବର ୧୧ ରୁ ୧୫ ମଧ୍ୟରେ ଖେଳିବାର ଅଛି। ବର୍ତ୍ତମାନ କେବଳ ପ୍ରଥମ ମ୍ୟାଚ୍ ପାଇଁ ହିଁ ଦଳ ଘୋଷଣା କରାଯାଇଛି, ଯେଉଁଥିରେ ସୂର୍ଯ୍ୟଙ୍କ ନାମ ନଥିବା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଉପଲବ୍ଧ ଥାଇ ମଧ୍ୟ ମିଳିଲାନି ସୁଯୋଗ
ରିପୋର୍ଟ ମୁତାବକ, ସୂର୍ଯ୍ୟକୁମାର ଯାଦବ ନିଜକୁ ଆଗାମୀ ରଣଜୀ ସିଜିନ ପାଇଁ ଉପଲବ୍ଧ ରଖିଥିଲେ, ତଥାପି ତାଙ୍କୁ ଦଳରେ ସାମିଲ କରାଯାଇ ନାହିଁ। ସୂର୍ଯ୍ୟଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲା। ସେ ଭାରତ ପାଇଁ ଶେଷ ମ୍ୟାଚ୍ ଭାବେ ଟି୨୦ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ। ଏହାପରେ ତାଙ୍କୁ ଆଉ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ଘରୋଇ କ୍ରିକେଟ୍ରୁ ମଧ୍ୟ ତାଙ୍କର ବାଦ୍ ପଡ଼ିବା ତାଙ୍କ କ୍ୟାରିୟର ପାଇଁ ଭଲ ସଙ୍କେତ ନୁହେଁ ବୋଲି ଚର୍ଚ୍ଚା ହେଉଛି।
ପ୍ରଥମ ମ୍ୟାଚ୍ ପାଇଁ ମୁମ୍ବାଇର ସ୍କ୍ୱାଡ୍
ସିଦ୍ଧେଶ ଲାଡ଼ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଆୟୁଷ ମହାତ୍ରେ (ଉପ-ଅଧିନାୟକ), ଦିବ୍ୟାଂଶ ସକ୍ସେନା, ମୁଶିର ଖାନ୍, ସରଫରାଜ ଖାନ୍, ସୁବେଦ ପାରକର, ଆକାଶ ଆନନ୍ଦ (ୱିକେଟକିପର), ହାର୍ଦ୍ଦିକ ତାମୋର (ୱିକେଟକିପର), ଶାମ୍ସ ମୁଲାନୀ, ତନୁଷ କୋଟିଆନ୍, ଅଥର୍ବ ଅଙ୍କୋଲେକର, ତୁଷାର ଦେଶପାଣ୍ଡେ, ମୋହିତ ଅବସ୍ଥୀ, ସିଲ୍ଭେଷ୍ଟର ଡିସୁଜା, ଏବଂ ଓଙ୍କାର ତରମଲେ।