ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ। ରବିବାର ଦିଲ୍ଲୀରେ ପହଞ୍ଚିଛନ୍ତି ସେ। ଏହା ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବିଦେଶ ଗସ୍ତ। ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାଲେନ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଏହି ବୈଠକ ଉପରେ କେବଳ ଭାରତ ଓ ନେପାଳ ନୁହେଁ, ଚୀନ୍ର ମଧ୍ୟ ନଜର ରହିଛି।
ମୋଦୀ-ବାଲେନ ବୈଠକରେ କେଉଁ ପ୍ରସଙ୍ଗ ଉଠିବ?
ବାଲେନ ଶାହଙ୍କ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଅର୍ଥନୈତିକ ସହଯୋଗ, ରେଳ ଓ ବିମାନ ଯୋଗାଯୋଗ, ଶକ୍ତି ଏବଂ ଭିତ୍ତିଭୂମି ବିକାଶ ଭଳି ବିଷୟ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହା ସହ ଉଭୟ ଦେଶ ମଧ୍ୟରେ ଦୀର୍ଘକାଳୀନ ସହଯୋଗ ପାଇଁ ଏକ ମିଳିତ ଭିଜନ୍ ଡକ୍ୟୁମେଣ୍ଟ ଆଣିବା ନେଇ ମଧ୍ୟ ଯୋଜନା ରହିଛି। ଶକ୍ତି, ଡିଜିଟାଲ୍ କନେକ୍ଟିଭିଟି, ନିବେଶ ଓ ବୈଷୟିକ ଜ୍ଞାନକୌଶଳ ଏହାର ପ୍ରମୁଖ ଅଂଶ ହୋଇପାରେ।
ରବିବାର ସନ୍ଧ୍ୟାରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବାଲେନ ଶାହଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ଶକ୍ତି, ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ଯୋଗାଯୋଗ ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଥିଲା।
ନେପାଳକୁ ୨ ବିଲିୟନ ଡଲାର ସହାୟତା ମାଗଣା
ବାଲେନ ଶାହଙ୍କ ଭାରତ ଗସ୍ତରେ ଅର୍ଥନୈତିକ ସହାୟତା ଏକ ବଡ଼ ପ୍ରସଙ୍ଗ ହୋଇପାରେ। ନେପାଳ ପକ୍ଷରୁ ଭାରତ ନିକଟରେ ପ୍ରାୟ ୨ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ୟାକେଜ୍ ପ୍ରସ୍ତାବ ରଖାଯାଇଥିବା ରିପୋର୍ଟ ରହିଛି। ଅଗଷ୍ଟ ମାସରେ ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରାସ୍ତାଘାଟ, ପୋଲ, ବିଦ୍ୟୁତ୍ ପ୍ରକଳ୍ପ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ପୁନର୍ନିର୍ମାଣ କାର୍ଯ୍ୟ ପାଇଁ ନେପାଳକୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଏହି ପ୍ୟାକେଜ୍ରେ ଅନୁଦାନ, ଋଣ ଓ ଅନ୍ୟାନ୍ୟ ଆର୍ଥିକ ସହାୟତା କେତେ ରହିବ, ତାହା ଆଲୋଚନାର ବିଷୟ ହୋଇପାରେ।