ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ପ୍ୟାକେଜ୍ଡ ଡ୍ରିଙ୍କିଂ ୱାଟର ବ୍ରାଣ୍ଡ ବିସଲେରୀକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ପାଣିର ଗୁଣବତ୍ତା ଯାଞ୍ଚ ବେଳେ ଲଗାତାର ଦୁଇଥର ନମୁନା ଫେଲ୍ ହେବା ପରେ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଅନୁମତି ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ପାଣିରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ଏବଂ ଦ୍ୱିତୀୟ ପରୀକ୍ଷାରେ କ୍ୟାନସର ସହ ଜଡ଼ିତ ରାସାୟନିକ ତତ୍ତ୍ୱ ମିଳିଥିବା ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି।
ସୂଚନା ଅନୁଯାୟୀ, ପ୍ରଥମ ପରୀକ୍ଷାରେ ବିସଲେରୀ ପାଣିର ନମୁନାରେ ବ୍ରୋମେଟ୍ର ମାତ୍ରା ନିର୍ଦ୍ଧାରିତ ମାନଦଣ୍ଡଠାରୁ ଅଧିକ ଥିବା ଜଣାପଡ଼ିଥିଲା। ଏହାକୁ ନେଇ କମ୍ପାନୀ ପକ୍ଷରୁ ଆପତ୍ତି ଉଠାଯିବା ପରେ ପୁନର୍ବାର ନମୁନା ପରୀକ୍ଷା କରାଯାଇଥିଲା। କିନ୍ତୁ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ନମୁନା ନିରାପଦ ମାନଦଣ୍ଡ ପୂରଣ କରିନଥିବା ଅଭିଯୋଗ ହୋଇଛି। ଏଥିରେ PAHs (Polycyclic Aromatic Hydrocarbons) ନାମକ ରାସାୟନିକ ଯୌଗିକ ମିଳିଥିବା ଦାବି କରାଯାଇଛି। ଏହି ଯୌଗିକଗୁଡ଼ିକ ମଧ୍ୟରୁ କେତେକ କ୍ୟାନସର ସୃଷ୍ଟି ସହ ସମ୍ପୃକ୍ତ ବୋଲି ଜଣାଶୁଣା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନମୁନାଗୁଡ଼ିକ ବଜାରରୁ ନୁହେଁ, ବରଂ ବିସଲେରୀ କମ୍ପାନୀର ନିଜସ୍ୱ ପରିସରରୁ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏହି ପରୀକ୍ଷା ରିପୋର୍ଟ ଆଧାରରେ FSSAI ପକ୍ଷରୁ କମ୍ପାନୀ ବିରୋଧରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ, ୨୦୦୬ ଅନୁଯାୟୀ ମାମଲା ଚଳାଇବାକୁ ଅନୁମତି ଦିଆଯାଇଛି।
କେବଳ ବିସଲେରୀ ନୁହେଁ, ଅନ୍ୟ କମ୍ପାନୀ ଉପରେ ବି କାର୍ଯ୍ୟାନୁଷ୍ଠାନ
ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ କେବଳ ବିସଲେରୀ ନୁହେଁ, ଅନ୍ୟ କେତେକ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ବିରୋଧରେ ମଧ୍ୟ FSSAI ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ତାଲିକାରେ ବସନ୍ତ ମସଲା ପ୍ରାଇଭେଟ୍ ଲିମିଟେଡ୍, ଟିଟ୍-ବିଟ୍ ଫୁଡ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ମୀମାଂସା ଇଣ୍ଡଷ୍ଟ୍ରିଜ୍ ଏବଂ ଆଶା କନଫେକ୍ସନାରୀ ଭଳି କମ୍ପାନୀ ରହିଛନ୍ତି। କେତେକ ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଆଉ କେତେକଙ୍କ କ୍ଷେତ୍ରରେ ଉତ୍ପାଦ ପ୍ରତ୍ୟାହାର ଭଳି ପଦକ୍ଷେପ ନିଆଯାଇଛି।
କେତେକ କମ୍ପାନୀର ଲାଇସେନ୍ସ ବାତିଲ୍
ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନରେ ଅବହେଳା ଅଭିଯୋଗରେ ଉର୍ମି ଲାଇଫ୍ସାଇନ୍ସ ଏବଂ ଗୌର ଆୟୁର୍ବେଦିକ୍ ଷ୍ଟୋରର ଲାଇସେନ୍ସକୁ ମଧ୍ୟ FSSAI ପକ୍ଷରୁ ସ୍ଥଗିତ ରଖାଯାଇଛି। ସେହିପରି ଆଶା କନଫେକ୍ସନାରୀକୁ ନିଜର ପ୍ରି-ପ୍ୟାକେଜ୍ଡ ଚକୋଲେଟ୍ ଭର୍ତ୍ତି ବିସ୍କୁଟ୍ ବଜାରରୁ ଫେରାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଉତ୍ପାଦଗୁଡ଼ିକ ନିରାପଦ ନଥିବା ଯାଞ୍ଚରୁ ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଅନ୍ୟପଟେ, ବିସଲେରୀ ଭଳି ଏକ ପ୍ରତିଷ୍ଠିତ ବ୍ରାଣ୍ଡ ବିରୋଧରେ ଏଭଳି ଅଭିଯୋଗ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ତେବେ ଏହି ଘଟଣାକୁ ନେଇ କମ୍ପାନୀ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିଥିବା ସୂଚନା ନାହିଁ।