କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟିକା ରେଖା ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ହଠାତ୍ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭେଣ୍ଟିଲେଟର ସହାୟତାରେ ଚିକିତ୍ସା କରାଯାଉଛି। ଅନ୍ୟପଟେ, ହସ୍ପିଟାଲର ମେଡିକୋ-ଲିଗାଲ୍ ରିପୋର୍ଟରେ ତାଙ୍କ ଶରୀରରେ ଅର୍ଗାନୋଫସଫରସ୍ ଆଧାରିତ କୀଟନାଶକର ଉପସ୍ଥିତି ଥିବା ଉଲ୍ଲେଖ ହୋଇଛି। ଏହା ପରେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ ଆହୁରି ଘନୀଭୂତ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ରେଖା ପାତ୍ର ନିଜ ବାସଭବନରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଶିରହାଟ ସୁପର ସ୍ପେଶାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ ଆଶାନୁରୂପ ସୁଧାର ନଆସିବାରୁ ଅଧିକ ଚିକିତ୍ସା ପାଇଁ କୋଲକାତାର ମୁକୁନ୍ଦପୁରସ୍ଥିତ ଆର୍ଏନ୍ ଟାଗୋର ହସ୍ପିଟାଲକୁ ଅଣାଯାଇଥିଲା।
ଶରୀରରେ କୀଟନାଶକ ବିଷ ଥିବା ରିପୋର୍ଟ
ଆର୍ଏନ୍ ଟାଗୋର ହସ୍ପିଟାଲର ମେଡିକୋ-ଲିଗାଲ୍ ରିପୋର୍ଟରେ ରେଖା ପାତ୍ରଙ୍କ ଶରୀରରେ ଅର୍ଗାନୋଫସଫରସ୍ ଆଧାରିତ କୀଟନାଶକ ଥିବା ଦର୍ଶାଯାଇଛି। ଏହା ଏକ ପ୍ରକାର ରାସାୟନିକ କୀଟନାଶକ, ଯାହାର ପ୍ରଭାବ ମଣିଷର ସ୍ନାୟୁତନ୍ତ୍ର ଉପରେ ପଡ଼ିପାରେ। ତେବେ ଏହି ପଦାର୍ଥ ତାଙ୍କ ଶରୀରକୁ କିପରି ଆସିଲା, ତାହା ସ୍ପଷ୍ଟ ହୋଇନାହିଁ। ଜାଣିଶୁଣି ବିଷ ଦିଆଯାଇଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ ଓ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଘଟଣା ସାମ୍ନାକୁ ଆସିବା ପରେ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଶରଦ୍ୱତ ମୁଖୋପାଧ୍ୟାୟ ହସ୍ପିଟାଲରେ ପହଞ୍ଚି ରେଖା ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ତାଙ୍କ ଚିକିତ୍ସା ଡାକ୍ତର ଯୁଦ୍ଧଜିତ୍ ସେନଗୁପ୍ତଙ୍କ ତତ୍ତ୍ୱାବଧାନରେ ଚାଲିଛି। ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେସନ୍ ସପୋର୍ଟରେ ରଖାଯାଇଛି।
ବିଜେପି ନେତ୍ରୀ ଅର୍ଚ୍ଚନା ଦାସ ମଜୁମଦାରଙ୍କ ସୂଚନା ଅନୁସାରେ, ଚାରି ଘଣ୍ଟା ପରେ ମଧ୍ୟ ରେଖାଙ୍କ ସ୍ୱାସ୍ଥ୍ୟରେ ବିଶେଷ ସୁଧାର ନଆସିବାରୁ ତାଙ୍କୁ କୋଲକାତା ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା ଏବଂ ଚିକିତ୍ସା ଜାରି ରହିଥିବା ସେ କହିଛନ୍ତି।
କିଏ ଏହି ରେଖା ପାତ୍ର ?
ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣା ପରେ ରେଖା ପାତ୍ର ରାଜ୍ୟ ରାଜନୀତିରେ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ମହିଳାଙ୍କ ପ୍ରତି ନିର୍ଯାତନା, ଜମି ହଡ଼ପ ଓ ଜୋରଜବରଦସ୍ତି ଆଦାୟ ଭଳି ଅଭିଯୋଗରେ ଟିଏମ୍ସି ନେତା ଶେଖ୍ ଶାହଜାହାନଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନରେ ସେ ଏକ ପ୍ରମୁଖ ଚେହେରା ଥିଲେ।
ପରେ ବିଜେପି ତାଙ୍କୁ ଦଳରେ ସାମିଲ କରି ୨୦୨୪ ଲୋକସଭା ନିର୍ବାଚନରେ ବଶିରହାଟ ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ସେହି ନିର୍ବାଚନରେ ସେ ବିଜୟୀ ହୋଇପାରିନଥିଲେ। ପରେ ହିଙ୍ଗଲଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିଲେ।