ରାଜସ୍ଥାନର କୋଟା-ଉଦୟପୁର ଜାତୀୟ ରାଜପଥରେ ରବିବାର ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥ ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କ୍ରୁଜର୍ ଗାଡ଼ି ପିଟି ହେବାରୁ ଛୋଟ ପିଲାଙ୍କ ସମେତ ୧୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନାନ୍ଟା (Nanta) ଥାନା ଅଧୀନସ୍ଥ ଶମ୍ଭୁପୁରା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ତୀର୍ଥଯାତ୍ରୀ ଖାଟୁଶ୍ୟାମଜୀଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ସାମିଲ ଥିବା ବେଳେ ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ତେବେ ଏହି ତୀର୍ଥଯାତ୍ରା ଯେ ସେମାନଙ୍କ ଜୀବନର ଶେଷ ଦର୍ଶନ ପାଲଟିବ, ତାହା କେହି କଳ୍ପନା କରିନଥିଲେ।
ପ୍ରାଥମିକ ରିପୋର୍ଟ ଅନୁସାରେ, ଗାଡ଼ି ଚଳାଉଥିବା ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବା (ନିଦ ଆସିଯିବା) କାରଣରୁ ଏହି ଭୟଙ୍କର ଅଘଟଣ ଘଟିଛି। ଫଳରେ କ୍ରୁଜର୍ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ସହ ସିଧାସଳଖ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କ୍ରୁଜର୍ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି।