ନୂଆଦିଲ୍ଲୀ: ଆଧାର କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଆଧାର କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଧାର କାର୍ଡ ହେଉଛି ପରିଚୟର ପ୍ରମାଣ, କିନ୍ତୁ ଏହା ଜନ୍ମ ତାରିଖର ଚୂଡ଼ାନ୍ତ ପ୍ରମାଣ ନୁହେଁ। ତେଣୁ କେବଳ ଆଧାର କାର୍ଡରେ ଉଲ୍ଲେଖ ଥିବା ଜନ୍ମ ତାରିଖକୁ ଆଧାର କରି ଜଣେ କର୍ମଚାରୀଙ୍କୁ ଅବସର ଦିଆଯାଇପାରିବ ନାହିଁ।
କ'ଣ ଥିଲା ପୂରା ମାମଲା?
ଏହି ମାମଲାଟି ଜେଜେ ଇଲେକ୍ଟ୍ରୋନିକ୍ସ ଓ ଏହାର ଜଣେ କର୍ମଚାରୀ ରୋଜାମ୍ମା ଜୟଙ୍କ ସହ ଜଡ଼ିତ। ସେ କମ୍ପାନୀରେ ଫିନିସିଂ କର୍ମଚାରୀ ଭାବେ କାମ କରୁଥିଲେ। ତାଙ୍କ ଆଧାର କାର୍ଡରେ ଜନ୍ମ ବର୍ଷ ୧୯୫୯ ଉଲ୍ଲେଖ ଥିବାବେଳେ ESIC ରେକର୍ଡରେ ଜନ୍ମ ତାରିଖ ୨୦ ମେ ୧୯୬୦ ରହିଥିଲା।
ଏହି ତଥ୍ୟରେ ଅସଙ୍ଗତି ଦେଖି କମ୍ପାନୀ ଆଧାର କାର୍ଡର ଜନ୍ମ ବର୍ଷକୁ ଗ୍ରହଣ କରି ତାଙ୍କୁ ଅବସର ଦେଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ରୋଜାମ୍ମା ଶ୍ରମ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।
କର୍ମଚାରୀଙ୍କ ସପକ୍ଷରେ ଶ୍ରମ ଅଦାଲତଙ୍କ ରାୟ
ଶ୍ରମ ଅଦାଲତ ଆଧାର କାର୍ଡକୁ ଜନ୍ମ ତାରିଖର ନିର୍ଦ୍ଦିଷ୍ଟ ପ୍ରମାଣ ଭାବେ ଗ୍ରହଣ କରିନଥିଲେ। ଏହା ସହ ESIC ରେକର୍ଡରେ ଥିବା ୨୦ ମେ ୧୯୬୦କୁ ତାଙ୍କର ଜନ୍ମ ତାରିଖ ଭାବେ ଗ୍ରହଣ କରିଥିଲେ। ଏଥିସହ ବକେୟା ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟରେ ମଧ୍ୟ କମ୍ପାନୀକୁ ଝଟକା
ଶ୍ରମ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି କମ୍ପାନୀ ଦିଲ୍ଲୀ ହାଇକୋର୍ଟ ଯାଇଥିଲା। ତେବେ ନଭେମ୍ବର ୧୩ରେ ଜଷ୍ଟିସ୍ ମନୋଜ କୁମାର ଓହରି କମ୍ପାନୀର ଆବେଦନକୁ ଖାରଜ କରି ଶ୍ରମ ଅଦାଲତଙ୍କ ନିଷ୍ପତ୍ତିକୁ ବଜାୟ ରଖିଥିଲେ।
କୋର୍ଟ କହିଥିଲେ ଯେ, ଆଧାର ଆଇନ ଅନୁସାରେ ଆଧାର କାର୍ଡକୁ ପରିଚୟର ପ୍ରମାଣ ଭାବେ ଗ୍ରହଣ କରାଯାଏ, ଜନ୍ମ ତାରିଖର ନିର୍ଦ୍ଦିଷ୍ଟ ପ୍ରମାଣ ଭାବେ ନୁହେଁ। UIDAIର ୨୦୧୮ ନିର୍ଦ୍ଦେଶନାମାକୁ ମଧ୍ୟ କୋର୍ଟ ଉଲ୍ଲେଖ କରିଥିଲେ।
କେଉଁ ଡକ୍ୟୁମେଣ୍ଟ ହୋଇପାରେ ଜନ୍ମ ତାରିଖର ପ୍ରମାଣ?
ଜନ୍ମ ତାରିଖ ନିର୍ଦ୍ଧାରଣ ପାଇଁ ଆଧାର ବ୍ୟତୀତ ଅନ୍ୟ ବୈଧ ଦସ୍ତାବିଜ ଓ ସମ୍ପୃକ୍ତ ରେକର୍ଡକୁ ମଧ୍ୟ ବିଚାରକୁ ନେବାକୁ ପଡ଼ିବ। ଯେପରିକି:
- ଜନ୍ମ ପ୍ରମାଣପତ୍ର
- ସ୍କୁଲ୍ ସାର୍ଟିଫିକେଟ୍
- ESIC ରେକର୍ଡ
- ଅନ୍ୟ ସମ୍ପୃକ୍ତ ସରକାରୀ ଦସ୍ତାବିଜ
ତେଣୁ ଏହି ରାୟରୁ ସ୍ପଷ୍ଟ ଯେ, ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଏକମାତ୍ର ଆଧାର କରି ଚାକିରିରୁ ଅବସର ଦିଆଯାଇପାରିବ ନାହିଁ। ତେବେ ଏହି ରାୟ ଆଧାର କାର୍ଡର ଅନ୍ୟାନ୍ୟ ବ୍ୟବହାରକୁ ପ୍ରଭାବିତ କରୁନାହିଁ।