ଢାକା: ଗତ କିଛି ଦିନ ହେବ ବାଂଲାଦେଶରେ ଜାରି ରହିଥିବା ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ତାରିକ ରେହମାନ ଶେଖ ହସିନା ଏବଂ ଆବାମୀ ଲିଗକୁ ଦାୟୀ କରିଛନ୍ତି । ଏହା ସହିତ ଏହି ହିଂସା ଭିତରକୁ ଭାରତକୁ ମଧ୍ୟ ଟାଣି ଆଣିଛନ୍ତି । ଏହି କାର୍ଯ୍ୟକଳାପ ସୀମା ସେପଟୁ ପରିଚାଳିତ ହେଉଛି । ଆଉ ଶେଖ ହସିନା ଭାରତକୁ ଖୁସି କରିବାକୁ ଏମିତି କରୁଥିବା ରେହମାନ ଅଭିଯୋଗ କରିଛନ୍ତି ।
ଗତକାଲି ବାଂଲାଦେଶ ବୈଦେଶିକ ମନ୍ତ୍ରୀ ହୁମାୟୁନ୍ କବୀର ସିଲହଟସ୍ଥିତ ବାସଭବନ ଉପରକୁ ପେଟ୍ରୋଲ ବୋମା ମାଡ଼ ହୋଇଛି । ହୁମାୟୁନ୍ କବୀର ଅଭିଯୋଗ କରିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଏହା କରାଯାଇଛି । ଏହାକୁ ସେ ଆତଙ୍କବାଦୀ ଗତିବିଧି ବୋଲି ବର୍ଣ୍ଣନା କରିଥିଲେ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ତାରିକ ରେହମାନ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ । ନାଁ ନ ଧରି ସେ ପରୋକ୍ଷରେ ଭାରତକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ସୀମା ପାର୍ ନିର୍ଦ୍ଦେଶରେ ଏହା କରାଯାଉଥିଲା ରେହମାନ ଅଭିଯୋଗ କରିଥିଲେ ।
କିନ୍ତୁ ଭାରତ ରେହମାନଙ୍କ ଏଭଳି ବୟାନ ଉପରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରିଦେଇଛି । ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୈଶୱାଲ ବାଂଲାଦେଶର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ସେ ଟିପ୍ପଣୀ ଦେବାକୁ ଉଚିତ ମନେ କରୁ ନାହାଁନ୍ତି ବୋଲି କହିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ହେବ ବାଂଲାଦେଶ ପୁଣି ଥରେ ହିଂସା ବୃଦ୍ଧି ପାଇଛି । କୁହାଯାଉଛି ତାରିକ ରେହମାନ ଏବଂ ଶେଖ ହସିନାଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପଟେ ହିଂସାକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ଏବଂ ହୁମାୟୁନ କବୀରଙ୍କ ଘର ଉପରେ ଆକ୍ରମଣ କରିଥିବାବେଳେ ଅନ୍ୟପଟେ କିଛି ହିଂସାକାରୀ ହସିନାଙ୍କ ସହରକୁ ଟାର୍ଗେଟ୍ କରିଛନ୍ତି ।