ନୂଆଦିଲ୍ଲୀ: ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯିବା ଉଚିତ କି ନାହିଁ, ସେ ନେଇ କେନ୍ଦ୍ର ସରକାରଙ୍କ ମତ ଓ ଜବାବ ଲୋଡ଼ିଛନ୍ତି ସୁପ୍ରିମ୍କୋର୍ଟ। ଏଭଳି ବିବାହରୁ ଜନ୍ମିତ ସନ୍ତାନଙ୍କଠାରେ ବଂଶଗତ ରୋଗ ଓ ଶାରୀରିକ ସମସ୍ୟା ଦେଖାଦେବାର ଆଶଙ୍କା ଦର୍ଶାଇ ଦାଖଲ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ଏହି ନୋଟିସ୍ ଜାରି କରିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଏହି ପ୍ରସଙ୍ଗରେ ଆଇନ ଆଣିବା ଅଦାଲତଙ୍କ କାର୍ଯ୍ୟ ନୁହେଁ, ବରଂ ଏହା ସଂସଦ ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ଅଧିକାର ପରିସରଭୁକ୍ତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
ବେଙ୍ଗାଲୁରୁର ଆଇନ ଛାତ୍ରୀ ଚାର୍ଭି ଏସ୍. ଏହି ଆବେଦନ ଦାଖଲ କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ଯୋଗୁଁ ଜେନେଟିକ୍ ସମାନତା ବଢ଼ିଥାଏ, ଯାହାଫଳରେ ସନ୍ତାନଙ୍କଠାରେ ବଂଶଗତ ରୋଗ, ଜନ୍ମଗତ ତ୍ରୁଟି, ଦୃଷ୍ଟି ଓ ଶ୍ରବଣଶକ୍ତି ସମସ୍ୟା ଏବଂ ବିକାଶଗତ ଅକ୍ଷମତାର ଆଶଙ୍କା ରହିଥାଏ। ଆବେଦନକାରୀ ନିଜେ ଏଭଳି ଏକ ବିବାହରୁ ଜନ୍ମ ନେଇଥିବା ଏବଂ ତାଙ୍କର ୪୦ ପ୍ରତିଶତ ଦୃଷ୍ଟିଶକ୍ତି ଅକ୍ଷମତା ଥିବା ଉଲ୍ଲେଖ କରିଛନ୍ତି। ପାରମ୍ପରିକ ପ୍ରଥା ଅନୁସାରେ ତାଙ୍କ ସମ୍ପର୍କୀୟ ଭାଇଭଉଣୀଙ୍କ ମଧ୍ୟରେ ବିବାହ ହୋଇଥିଲା।
ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଞ୍ଜୁମନ ତ୍ରିପାଠୀ ମାମଲା ରୁଜୁ କରିଥିବା ବେଳେ ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ କାଦମ୍ବରୀ ସିଂହ ପକ୍ଷ ରଖିଥିଲେ। ବିବାହ ପୂର୍ବରୁ ଜେନେଟିକ୍ ପରାମର୍ଶ, ଡାକ୍ତରୀ ପରୀକ୍ଷା ଏବଂ ସମ୍ଭାବ୍ୟ ବିପଦ ସମ୍ପର୍କରେ ଦମ୍ପତିଙ୍କୁ ଅବଗତ କରାଇବା ଭଳି ବ୍ୟବସ୍ଥା ରହିବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଥିଲେ। ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୫(୪) ଓ ୫(୫) ଏବଂ ସ୍ୱତନ୍ତ୍ର ବିବାହ ଆଇନ, ୧୯୫୪ର ଧାରା ୪(ଡି)ରେ ଥିବା ପାରମ୍ପରିକ ପ୍ରଥା ସମ୍ପର୍କିତ ବ୍ୟବସ୍ଥାକୁ ନେଇ ଆବେଦନରେ ପ୍ରଶ୍ନ ଉଠାଯାଇଛି।
ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି ଯେ ବିବାହ ବ୍ୟକ୍ତିଗତ ପସନ୍ଦର ବିଷୟ ହୋଇଥିବାରୁ ଲୋକଙ୍କୁ ସଠିକ୍ ତଥ୍ୟ ଦେଇ ସଚେତନ କରାଇବା ଜରୁରୀ। ଆବଶ୍ୟକ ଆଇନ ଆଣିବା କିମ୍ବା ସ୍କୁଲ୍ ଓ କଲେଜ ପାଠ୍ୟକ୍ରମ ସମେତ ବିଭିନ୍ନ ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ କେନ୍ଦ୍ର ସରକାର ବିଚାର କରିବା ଉଚିତ। ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବା ଲକ୍ଷ୍ୟ ନୁହେଁ, କେବଳ ଏ ଦିଗରେ ଅବଗତ କରାଇବାକୁ ନୋଟିସ୍ ଜାରି କରାଯାଇଛି ବୋଲି ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି। କେନ୍ଦ୍ରର ଜବାବ ମିଳିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।