ନୂଆଦିଲ୍ଲୀ: ଆମେରିକାର ଏକ ଅଦାଲତରୁ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏବଂ ପୂର୍ବତନ ର’ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ଆସିଥିବା ନୋଟିସକୁ ଭାରତ ଖାରଜ କରିଛି । ଖାଲିସ୍ତାନ-ସମର୍ଥକ ସଂଗଠନ 'ଶିକ୍ସ ଫର୍ ଜଷ୍ଟିସ୍' ଦ୍ୱାରା ଦାୟର କରାଯାଇଥିବା ଏକ ଦେୱାନୀ ମକଦ୍ଦମା ସମନକୁ ଭାରତ ଭିତ୍ତିହୀନ ଅଭିଯୋଗ ବୋଲି ଦର୍ଶାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈଶୱାଲ ଏହାକୁ ଭିତ୍ତିହୀନ ମକଦ୍ଦମା ବୋଲି କହିଛନ୍ତି ।
ଏହି ସମନ ନ୍ୟୁୟର୍କର ଜିଲ୍ଲା ଅଦାଲତର ବିଚାରପତି କ୍ୟାଥରିନ୍ ପୋଲ୍କ ଫାଇଲାଙ୍କ ଦ୍ୱାରା ଜାରି କରାଯାଇଛି। ଏହି ମାମଲାଟି ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଦେୱାନୀ ମକଦ୍ଦମା ସହ ଜଡ଼ିତ । ଆମେରିକା ଜିଲ୍ଲା ଅଦାଲତ, ଡୋଭାଲ୍ ଏବଂ ଗୋୟଲ୍ଙ୍କ ନିକଟକୁ ନୋଟିସ୍ ପହଞ୍ଚାଇବା ପାଇଁ ଏକ ବିକଳ୍ପ ପଦ୍ଧତି ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନୋଟିସ ଦିଲ୍ଲୀର ତିନୋଟି ଜିଲ୍ଲା ଅଦାଲତ ଯଥା ପଟିଆଲା ହାଉସ୍, ଦ୍ୱାରକା ଏବଂ ତିସ୍ ହଜାରୀ ଅଦାଲତ ମାଧ୍ୟମରେ ପଠାଯିବ। ଅଦାଲତର କର୍ମଚାରୀଙ୍କୁ ଏହି ଦସ୍ତାବିଜଗୁଡ଼ିକୁ ଆନ୍ତର୍ଜାତୀୟ ଡାକ କିମ୍ବା କୋରିଅର୍ ମାଧ୍ୟମରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଗୁରପତୱନ୍ତ ସିଂହ ପନ୍ନୁ ସେପ୍ଟେମ୍ବର ୨୦୨୪ ରେ ନ୍ୟୁୟର୍କର ଏକ କୋର୍ଟରେ ଏକ ଦେୱାନୀ ମାମଲା ଦାୟର କରିଥିଲେ। ଏଥିରେ ଅଭିଯୋଗ କରାଯାଇଥିଲା ଯେ ଅଜିତ ଡୋଭାଲ, ସାମନ୍ତ ଗୋଏଲ ଏବଂ ଅନ୍ୟମାନେ ୨୦୨୩ ରେ ତାଙ୍କ ନ୍ୟୁୟର୍କ ଘରେ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପନ୍ନୁ ପୂର୍ବରୁ ଆମେରିକା କୋର୍ଟରେ ତାଙ୍କର ସମନ ପ୍ରଦାନ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ଏହା ବିଫଳ ହୋଇଥିଲା। ଭାରତ ସରକାର ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ମାମଲାକୁ ମନଗଢ଼ା ବୋଲି କହିଛନ୍ତି।