ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷାର ହେବ ଅନ୍ତ। ରାଜ୍ୟର ହଜାର ହଜାର ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ମିଳିବ ବକେୟା ଭତ୍ତା। ନଭେମ୍ବର ମାସ ଶେଷ ସୁଦ୍ଧା ୭,୯୧୮ ଜଣ ହିତାଧିକାରୀଙ୍କ ଖାତାକୁ ବକେୟା ଟଙ୍କା ପଠାଯିବ। ଓଡ଼ିଶା ବିଧାନସଭାରେ ଶୁକ୍ରବାର ଏହି ଆଶ୍ୱାସନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
୭,୯୧୮ ଦିବ୍ୟାଙ୍ଗଙ୍କୁ ମିଳିନି ଭତ୍ତା
ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଗଣେଶ୍ୱର ବେହେରା ଏହି ପ୍ରସଙ୍ଗ ଉଠାଇଥିଲେ। ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନସନ୍ ଯୋଜନା (IGNDPS) ଅଧୀନରେ କେତେ ହିତାଧିକାରୀଙ୍କୁ ଭତ୍ତା ମିଳୁଛି ଏବଂ କେଉଁ କାରଣରୁ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସୁନାହିଁ, ସେନେଇ ସେ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ, ଜାତୀୟ ତଥ୍ୟ ଅନୁସାରେ ଓଡ଼ିଶାରେ ଏହି ଯୋଜନାରେ ମୋଟ ୨୦,୩୩,୯୫୯ ଜଣ ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ୭,୯୧୮ ଜଣଙ୍କ ଭତ୍ତା ଏପ୍ରିଲ ମାସରୁ ବିଭିନ୍ନ ମାସରେ ବ୍ୟାଙ୍କ ଖାତାକୁ ଯାଇପାରିନାହିଁ।
ଆଧାର ଲିଙ୍କ୍ ସମସ୍ୟା ପାଇଁ ଅଟକିଛି ଟଙ୍କା
ଆଧାର ଓ ବ୍ୟାଙ୍କ ଖାତା ଲିଙ୍କ୍ରେ ଥିବା ବୈଷୟିକ ସମସ୍ୟା ଯୋଗୁଁ ହିତାଧିକାରୀଙ୍କ ଭତ୍ତା ଟଙ୍କା ଅଟକି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସମନ୍ୱୟ ରଖି କାମ କରୁଛନ୍ତି। ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ନଭେମ୍ବର ଶେଷ ସୁଦ୍ଧା ସମସ୍ତ ବକେୟା ଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଦୀର୍ଘ ୭ ମାସର ଅପେକ୍ଷାର ହେବ ଅନ୍ତ
ଦୀର୍ଘ ଦିନ ଧରି ଭତ୍ତା ଟଙ୍କା ନମିଳିବାରୁ ଅନେକ ଦିବ୍ୟାଙ୍ଗ ଓ ସେମାନଙ୍କ ପରିବାର ଆର୍ଥିକ ସମସ୍ୟାରେ ରହିଥିଲେ। ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଏହି ଭତ୍ତା ଅନେକଙ୍କ ପାଇଁ ମୁଖ୍ୟ ଆଧାର। ତେଣୁ ସରକାରଙ୍କ ଏହି ଘୋଷଣା ହଜାର ହଜାର ପରିବାରକୁ ଆଶ୍ୱସ୍ତି ଦେଇଛି।
ତେବେ ହିତାଧିକାରୀମାନେ ନିଜ ଆଧାର ଓ ବ୍ୟାଙ୍କ ଖାତାର ତଥ୍ୟ ଠିକ୍ ରଖିବା ସହ ଲିଙ୍କ୍ ସମସ୍ୟା ଥିଲେ ତାହାର ସମାଧାନ କରିବା ଆବଶ୍ୟକ। ଯାହାଦ୍ୱାରା ଆଗକୁ ଭତ୍ତା ପ୍ରଦାନରେ ଆଉ କୌଣସି ବାଧା ସୃଷ୍ଟି ହେବ ନାହିଁ।