ଭୁବନେଶ୍ୱର: ବାତ୍ୟା ‘ଅକୱାନ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ ତୁରନ୍ତ ବନ୍ୟା ଆଶଙ୍କା ନାହିଁ। ରାଜ୍ୟର କୌଣସି ଅଞ୍ଚଳରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ। ଆଗାମୀ କିଛି ଦିନ ମଧ୍ୟରେ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବାର ସମ୍ଭାବନା ମଧ୍ୟ କମ୍ ରହିଛି। ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ।
ଗଞ୍ଜାମରେ ସର୍ବାଧିକ ୧୧୯ ମିମି ବର୍ଷା
ବାତ୍ୟା ‘ଅକୱାନ’ ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୬୧ ମିଲିମିଟର ବର୍ଷା ହୋଇଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି।
ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହେଲେ ନାହିଁ ବନ୍ୟା ଆଶଙ୍କା
ବର୍ଷା ପରେ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ଆହୁରି ବଢ଼ିପାରେ। ତେବେ ଏହା ବିପଦ ସଙ୍କେତ ଅତିକ୍ରମ କରିବାର ଆଶଙ୍କା ନାହିଁ ବୋଲି ଦିଲୀପ ରାଉତ କହିଛନ୍ତି।
ଡ୍ୟାମ୍ରୁ ପାଣି ଛଡ଼ା ଉପରେ ରୋକ୍
ବାତ୍ୟା ଆସିବା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଡ୍ୟାମ୍ରୁ ପ୍ରାୟ ୫୦ ପ୍ରତିଶତ ଜଳ ଛଡ଼ାଯାଇଥିଲା। ବର୍ତ୍ତମାନ ସମସ୍ତ ଡ୍ୟାମ୍ ବନ୍ଦ ରହିଛି ଏବଂ କୌଣସି ଜଳଭଣ୍ଡାରରୁ ପାଣି ଛଡ଼ାଯାଉନାହିଁ। ବର୍ତ୍ତମାନ ବର୍ଷାଜଳକୁ ସଂରକ୍ଷଣ କରାଯାଉଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
ଝାଡ଼ଖଣ୍ଡରେ ବର୍ଷା ହେଲେ ବି ଓଡ଼ିଶାକୁ ଆସିବାକୁ ଲାଗିବ ୩ ଦିନ
ରାଜ୍ୟର ନଦୀଗୁଡ଼ିକରେ ବନ୍ୟା ଆଶଙ୍କା କମ୍ ରହିବାର ଆଉ ଏକ କାରଣ ହେଉଛି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇନାହିଁ। ଦିଲୀପ ରାଉତଙ୍କ କହିବା ଅନୁସାରେ, ଝାଡ଼ଖଣ୍ଡରେ ବର୍ଷା ହେଲେ ମଧ୍ୟ ସେଠାରୁ ଜଳ ପ୍ରବାହ ଓଡ଼ିଶାରେ ପହଞ୍ଚିବାକୁ ପ୍ରାୟ ୩ ଦିନ ସମୟ ଲାଗିବ। ତେଣୁ ଏହି ସମୟ ମଧ୍ୟରେ ବିଭାଗ ପରିସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଇପାରିବ।
ବର୍ତ୍ତମାନ ଜଳସମ୍ପଦ ବିଭାଗର ଇଞ୍ଜିନିୟର ଓ ଅଧିକାରୀମାନେ ନଦୀର ଜଳସ୍ତର, ଜଳଭଣ୍ଡାର ଏବଂ ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ସମସ୍ତଙ୍କୁ ହାଇ ଆଲର୍ଟରେ ରଖାଯାଇଛି।