ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ବଡ଼ କର୍ମଚାରୀ ସଙ୍କଟ। ବିଶ୍ୱବିଦ୍ୟାଳୟରେ ପ୍ରଫେସରଙ୍କଠାରୁ ଆରମ୍ଭ କରି ଅଣଶିକ୍ଷକ କର୍ମଚାରୀ ପର୍ଯ୍ୟନ୍ତ ବହୁ ପଦ ଖାଲି ପଡ଼ିଛି। ମୋଟ ୨୪୪ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦ ମଧ୍ୟରୁ ୧୪୧ଟି ଖାଲି ରହିଥିବା ବେଳେ ୯୨୬ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ମଧ୍ୟରୁ ୬୯୮ଟି ଖାଲି ପଡ଼ିଛି। ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରଫେସର ଓ କର୍ମଚାରୀ ପଦବୀ ପୂରଣ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି, ସେନେଇ ବିଧାୟକ ପ୍ରଶ୍ନ କରିଥିଲେ।
୨୪୪ ପ୍ରଫେସର ପଦରୁ ୧୪୧ ଖାଲି
ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ମୋଟ ୨୪୪ଟି ପ୍ରଫେସର ପଦ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୧୪୧ଟି ପଦ ଖାଲି ରହିଛି। ଅର୍ଥାତ୍ ପ୍ରାୟ ୫୮ ପ୍ରତିଶତ ପ୍ରଫେସର ପଦରେ ନିଯୁକ୍ତି ହୋଇନାହିଁ। ତେବେ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଖାଲି ଥିବା ପ୍ରଫେସର ପଦରେ ପର୍ଯ୍ୟାପ୍ତ ସଂଖ୍ୟକ ଅଧ୍ୟାପକଙ୍କୁ ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
୯୨୬ ଅଣଶିକ୍ଷକ ପଦରୁ ୬୯୮ ଖାଲି
କେବଳ ଶିକ୍ଷକ ନୁହନ୍ତି, ଅଣଶିକ୍ଷକ କର୍ମଚାରୀ ପଦରେ ମଧ୍ୟ ବଡ଼ ସଂଖ୍ୟାରେ ନିଯୁକ୍ତି ହୋଇନାହିଁ। ମୋଟ ୯୨୬ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ମଧ୍ୟରୁ ୬୯୮ଟି ଖାଲି ପଡ଼ିଛି। ଅର୍ଥାତ୍ ପ୍ରାୟ ୭୫ ପ୍ରତିଶତ ପଦ ଖାଲି ରହିଛି।
ଖାଲି ପଦ ପୂରଣ ପାଇଁ ଚାଲିଛି ନିଯୁକ୍ତି ପ୍ରକ୍ରିୟା
ଖାଲି ଥିବା ନିୟମିତ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟ ପ୍ରେସ୍ କାଉନସିଲ୍ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ଅନୁସାରେ ଖାଲି ଥିବା ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଚାଲିଛି।
ତେବେ ରାଜ୍ୟର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଏତେ ସଂଖ୍ୟକ ପଦ ଖାଲି ପଡ଼ିଥିବା ତଥ୍ୟ ସାମ୍ନାକୁ ଆସିବା ପରେ ଶିକ୍ଷା ମହଲରେ ଚର୍ଚ୍ଚା ଜୋର ଧରିଛି। ଏବେ ସମସ୍ତଙ୍କ ନଜର ନିଯୁକ୍ତି ପ୍ରକ୍ରିୟା କେବେ ଶେଷ ହେବ ଏବଂ କେବେ ଏହି ଖାଲି ପଦବୀ ପୂରଣ ହେବ, ତାହା ଉପରେ।