ଭୁବନେଶ୍ୱର: ଓଡ଼ିଶା ଉପକୂଳ ଅତିକ୍ରମ କଲା ବାତ୍ୟା ‘ଅକ୍ୱାନ୍'। ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ତେବେ ଆଶ୍ୱସ୍ତିର କଥା, ଏବେ ରାଜ୍ୟର କୌଣସି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇନାହିଁ। ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷାକୁ ନେଇ ସତର୍କତା ଜାରି କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହା ଅବପାତ ଏବଂ ରାତି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସୂଚନା ରହିଛି।
ଆଗାମୀ ୨୪ ଘଣ୍ଟା ଉପରେ ନଜର
ବାତ୍ୟାର ପ୍ରଭାବ କମିଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟାକୁ ଗୁରୁତ୍ୱପୂର୍ଣ୍ଣ କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତାଙ୍କ କହିବା ଅନୁସାରେ, ୨୪ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ହେବା ଆଶା କରାଯାଉଛି। ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଗମ୍ଭୀର ସ୍ଥିତି ଉପୁଜିନାହିଁ। ତେବେ କିଛି ଅଞ୍ଚଳରୁ ଭୂସ୍ଖଳନ ଖବର ଆସିଛି।
ରାସ୍ତାରୁ ହଟିଲା ଗଛ, ମୁତୟନ ହୋଇଥିଲେ ଉଦ୍ଧାରକାରୀ ଟିମ୍
ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ, NDRF ଓ ODRAF ଟିମ୍କୁ ମୁତୟନ କରାଯାଇଥିଲା। ପ୍ରାୟ ୧୫ରୁ ୨୦ଟି ସ୍ଥାନରେ ଗଛ ଓ ଡାଳ ଭାଙ୍ଗି ପଡ଼ିଥିବା ଖବର ମିଳିଥିଲା। ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ରାସ୍ତା ସଫା କରିବା ସହ ସ୍ଥିତି ସ୍ୱାଭାବିକ କରିଥିଲେ।
୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ୨୫୩ଟି ବ୍ଲକ୍ ଓ ପୌରାଞ୍ଚଳକୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା। ୨୦ଟି ଜିଲ୍ଲାର ୬୨୦୧ଟି ସ୍ଥାନକୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା।
ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ୩୦୨୮ଟି ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ କରାଯାଇଥିଲା।
ଏବେ କ୍ଷୟକ୍ଷତିର ହେବ ଆକଳନ
ବାତ୍ୟା ଅତିକ୍ରମ କରିବା ପରେ ଏବେ କ୍ଷୟକ୍ଷତିର ଆକଳନ କରିବ ପ୍ରଶାସନ। କେଉଁ ଅଞ୍ଚଳରେ କେତେ କ୍ଷୟକ୍ଷତି ହୋଇଛି, ତାହାର ରିପୋର୍ଟ ସଂଗ୍ରହ କରାଯିବ। ତେବେ ଆଗାମୀ ୨୪ ଘଣ୍ଟା ଯାଏଁ ପାଣିପାଗ ଓ ପ୍ରଶାସନିକ ସ୍ଥିତି ଉପରେ ନଜର ରହିବ।