ଚେନ୍ନାଇ: ଶିଳ୍ପ ନିବେଶକୁ ନେଇ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରତିଯୋଗିତା ଏବେ ନୂଆ ମୋଡ଼ ନେଇଛି। ନିବେଶ ସମ୍ପର୍କିତ ଗୋପନୀୟ ତଥ୍ୟ ପଡ଼ୋଶୀ ରାଜ୍ୟକୁ ଲିକ୍ ହୋଇଥିବା ସନ୍ଦେହରେ ତାମିଲନାଡୁ ସରକାର ୧୫ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଖବର ସାମ୍ନାକୁ ଆସିଛି। ୧୫ ଅଫିସରଙ୍କୁ ବିଦା କରି ଦେଲେ ସିଏମ ବିଜୟ। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ପଦକ୍ଷେପକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
ରାଜ୍ୟର ନିବେଶ ପ୍ରୋତ୍ସାହନ ସଂସ୍ଥା ‘ଗାଇଡାନ୍ସ ତାମିଲନାଡୁ’ ସହ ଜଡ଼ିତ ଅଧିକାରୀଙ୍କ ଉପରେ ଏହି ଅଭିଯୋଗ ଉଠିଛି। ତାମିଲନାଡୁରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ କମ୍ପାନୀଗୁଡ଼ିକ ସହ ସରକାରଙ୍କ ଆଲୋଚନା ଏବଂ ନିବେଶ ପ୍ରସ୍ତାବ ସମ୍ପର୍କିତ କିଛି ଗୋପନୀୟ ତଥ୍ୟ ଆନ୍ଧ୍ରପ୍ରଦେଶ ପକ୍ଷକୁ ପହଞ୍ଚିଥିବା ସନ୍ଦେହ କରାଯାଉଛି।
୧୬୧୪ କୋଟିର ନିବେଶକୁ ନେଇ ବିବାଦ
ଏହି ଘଟଣା ପଛରେ ଦକ୍ଷିଣ କୋରିଆର ତିନିଟି କମ୍ପାନୀର ନିବେଶ ପ୍ରସ୍ତାବକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ହ୍ୟାୱାସିନ୍, ସେୟୋନ୍ ଓ ଇୱାମେଟ୍ ନାମକ ଏହି କମ୍ପାନୀଗୁଡ଼ିକ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ପ୍ରାୟ ୧,୬୧୪ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ସ୍ଥାପନ ପାଇଁ ଆଗେଇ ଆସିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧,୪୧୮ଟି ନିଯୁକ୍ତି ସୃଷ୍ଟି ହେବାର ଆଶା ରହିଛି।
ତାମିଲନାଡୁରେ ମଧ୍ୟ ଏହି କମ୍ପାନୀଗୁଡ଼ିକର ନିବେଶକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ତେଣୁ ଏହି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ଯିବା ପରେ ନିବେଶ ସମ୍ପର୍କିତ ଗୋପନୀୟ ତଥ୍ୟ ହସ୍ତାନ୍ତର ହୋଇଥିବା ଅଭିଯୋଗ ଉଠିଛି। ତେବେ ତଥ୍ୟ ଲିକ୍ ହିଁ ଏହି ନିବେଶ ସ୍ଥାନାନ୍ତରର କାରଣ ବୋଲି ଏଯାଏଁ ସର୍ବସାଧାରଣରେ କୌଣସି ଠୋସ୍ ପ୍ରମାଣ ଦିଆଯାଇନାହିଁ।
ତିନି ଜଣ ପୂର୍ବତନ କର୍ମଚାରୀଙ୍କୁ ନେଇ ସନ୍ଦେହ
ଏହି ମାମଲାରେ ପୂର୍ବରୁ ଗାଇଡାନ୍ସ ତାମିଲନାଡୁ ସହ ଜଡ଼ିତ ତିନି ଜଣ କର୍ମଚାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସେମାନେ ପରବର୍ତ୍ତୀ ସମୟରେ ଆନ୍ଧ୍ରପ୍ରଦେଶ ଇକୋନୋମିକ୍ ଡେଭଲପମେଣ୍ଟ ବୋର୍ଡ (APEDB) ସହ କାମ ଆରମ୍ଭ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପରେ ତାମିଲନାଡୁର ନିବେଶ ସମ୍ପର୍କିତ ତଥ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ବିରୋଧୀ ଦଳର ଟାର୍ଗେଟ୍ରେ ବିଜୟ ସରକାର
ଏହି ଘଟଣାକୁ ନେଇ ଡିଏମ୍କେ ନେତା ତଥା ପୂର୍ବତନ ଶିଳ୍ପମନ୍ତ୍ରୀ ଟି.ଆର୍.ବି. ରାଜା ବିଜୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ତାଙ୍କ ମତରେ, ଦୀର୍ଘ ବର୍ଷର ପରିଶ୍ରମରେ ଗଢ଼ି ଉଠିଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ରାଜନୈତିକ ବିବାଦ ମଧ୍ୟକୁ ଟାଣିବା ଠିକ୍ ନୁହେଁ।
ସେ ଆହୁରି କହିଛନ୍ତି ଯେ, ପୂର୍ବ ଏଆଇଏଡିଏମ୍କେ ସରକାର ସମୟରେ ନିଯୁକ୍ତ ହୋଇଥିବା ଅନେକ ଅଭିଜ୍ଞ କର୍ମଚାରୀଙ୍କୁ ଡିଏମ୍କେ ସରକାର ମଧ୍ୟ କାର୍ଯ୍ୟ ଜାରି ରଖିବାକୁ ସୁଯୋଗ ଦେଇଥିଲା। ତେଣୁ ନିବେଶ ପ୍ରୋତ୍ସାହନ ସଂସ୍ଥାର ଦକ୍ଷତାକୁ ନେଇ ସନ୍ଦେହ ସୃଷ୍ଟି ନକରି ସରକାର ଦାୟିତ୍ୱବାନ ଭାବେ ପଦକ୍ଷେପ ନେବା ଉଚିତ ବୋଲି ସେ ମତ ଦେଇଛନ୍ତି।