ଭୁବନେଶ୍ୱର: ଗତ ବଜେଟ୍ ଅଧିବେଶନ ଏବଂ ମୌସୁମୀ ଅଧିବେଶନ ଭଳି ଚଳିତ ଶୀତ ଅଧିବେଶନରେ ସମାନ ସ୍ଥିତି ଜାରି ରହିଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଦ୍ୱିତୀୟ ଦିନରେ ମଧ୍ୟ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।
ଦ୍ୱିତୀୟ କାର୍ଯ୍ୟଦିବସରେ ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ବିଜେଡ଼ି ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ ପ୍ରସଙ୍ଗରେ ଓ କଂଗ୍ରେସ କୋଟିଆ ପ୍ରସଙ୍ଗରେ ପ୍ରତିବାଦ କରିଥିଲା । ସେହିପରି କଂଗ୍ରେସ ମଧ୍ୟ କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା । ବିଜେଡ଼ି ବିପର୍ଯ୍ୟୟ ପରିଚାଳନା ଏବଂ କଂଗ୍ରେସ କୋଟିଆ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲା । ବିରୋଧୀଙ୍କ ହୋହଲ୍ଲା ଭିତରେ ମାତ୍ରା କିଛି ମିନିଟ ଚଳିପାରିଲା ଗୃହ । ଶେଷରେ ବାଚସ୍ପତି ପ୍ରଶ୍ନକାଳକୁ ବାତିଲ କରି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ।
ସେପଟେ ବିଜେପି ବିଧାୟକ ଅଗସ୍ତି ବେହେରା ପ୍ରତିକ୍ରିୟା ଦେଇ କହିଛନ୍ତି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ସରକାର କରିପାରିବେ ନାହିଁ। କୋଟିଆ ପ୍ରସଙ୍ଗରେ ସରକାର ଅବଗତ ଅଛନ୍ତି ଓ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି । ଏଥିରେ ସର୍ବଦଳୀୟ ସମର୍ଥନ ମଧ୍ୟ ରହିଛି । ବିଜେଡ଼ି ଯେଉଁ ବନ୍ୟା ଓ ବାତ୍ୟା ପ୍ରସଙ୍ଗ ଉଠାଉଛି, ତାହାର ମୁକାବିଲା କରିବାକୁ ସରକାର ସମ୍ପୂର୍ଣ୍ଣ ସକ୍ଷମ ଅଛନ୍ତି । ସରକାର ଆଗୁଆ ପଦକ୍ଷେପ ବି ନେଇଛନ୍ତି। ବାତ୍ୟାବନ୍ୟା ପରିସ୍ଥିତିକୁ ନେଇ ଜାଣିଶୁଣି ବିଧାନସଭା ଗୃହକୁ ବନ୍ଦ କରିବା ବା ଗୃହର କାର୍ଯ୍ୟ ବାଧାଦେବା ଠିକ ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ ।
ସେହିପରି ବିଧାୟକ ଅଗସ୍ତି ବେହେରା ଆହୁରି କହିଛନ୍ତି ଯେ ଗୃହ ଚାଲିଲେ ବିଧାୟକମାନେ ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିଥାନ୍ତେ l ଗୃହ ଅଚଳ ରହିବା ଯୋଗୁଁ ସେହି ସୁଯୋଗ ମିଳୁନାହିଁ। ଓଡ଼ିଶାବାସୀଙ୍କ ଟିକସ ଟଙ୍କାରେ ବିଧାନସଭା ଚାଲୁଛି। ଗୃହ ଅଚଳ ରହିବା ଦ୍ୱାରା ଓଡ଼ିଶାବାସୀଙ୍କ ଅର୍ଥର ଅପଚୟ ହେଉଛି। ଏହି କଥାକୁ ବିରୋଧୀ ଦଳ ଉପଲବ୍ଧି କରିବା ଆବଶ୍ୟକ।