ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ଭୋଟର ତାଲିକାରେ ଅନିୟମିତତା ଓ ଭୋଟ ଚୋରି ଅଭିଯୋଗକୁ ନେଇ ବିଜେପି ଅଡୁଆରେ ପଡ଼ିପାରେ ବୋଲି ଅନେକେ ଆକଳନ କରୁଛନ୍ତି। ହେଲେ ଏହି ଆକଳନ ସହ ଏକମତ ନୁହନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ମାର୍କଣ୍ଡେୟ କାଟଜୁ। ତାଙ୍କ ମତରେ, ଉତ୍ତରପ୍ରଦେଶରେ ବିଜେପିର ପରାଜୟ ଏତେ ସହଜ ନୁହେଁ। ନିର୍ବାଚନୀ ରାଜନୀତିରେ ଭାବନାତ୍ମକ ପ୍ରସଙ୍ଗର ପ୍ରଭାବକୁ ଅଣଦେଖା କରିହେବ ନାହିଁ।
ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଭାରତରେ ନିର୍ବାଚନ ଜିତିବାର ରାଜନୈତିକ ରଣନୀତିକୁ ନେଇ ଏକ ଲେଖା ମାଧ୍ୟମରେ ନିଜର ମତ ରଖିଛନ୍ତି କାଟଜୁ। ତାଙ୍କ କହିବା ଅନୁସାରେ, ଭୋଟ ଚୋରି ଅଭିଯୋଗ ଓ ବେକାରୀ ସମସ୍ୟା ସତ୍ତ୍ୱେ ଧାର୍ମିକ ଭାବନାକୁ କେନ୍ଦ୍ର କରି ନିର୍ବାଚନୀ ପରିବେଶ ବଦଳିପାରେ।
ଅଯୋଧ୍ୟା ପ୍ରସଙ୍ଗରୁ ବିଜେପିକୁ ଫାଇଦା ମିଳିଥିଲା!
କାଟଜୁ ନିଜ ମତରେ ଅଯୋଧ୍ୟା ରାମଜନ୍ମଭୂମି ଆନ୍ଦୋଳନର ଉଦାହରଣ ଦେଇଛନ୍ତି। ତାଙ୍କ ଯୁକ୍ତି ଅନୁସାରେ, ରାମ ମନ୍ଦିର ଆନ୍ଦୋଳନ ଓ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ବିଜେପିର ରାଜନୈତିକ ଉତ୍ଥାନରେ ଏହାର ପ୍ରଭାବ ପଡ଼ିଥିଲା। ୨୦୧୪ରେ ଦଳ କେନ୍ଦ୍ରରେ କ୍ଷମତାକୁ ଆସିବା ପଛରେ ଏହି ପ୍ରସଙ୍ଗର ଭୂମିକା ରହିଥିବା ସେ ମତ ଦେଇଛନ୍ତି।
ମଥୁରା ଶାହି ଇଦଗାହକୁ ନେଇ ରାଜନୀତି ତେଜିବା ଆଶଙ୍କା
ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦଗାହ ମସଜିଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ କାଟଜୁ ନିଜ ମତ ରଖିଛନ୍ତି। ତାଙ୍କ ଆକଳନ ଅନୁସାରେ, ଆଗାମୀ ନିର୍ବାଚନ ପୂର୍ବରୁ କୃଷ୍ଣ ଜନ୍ମଭୂମି ପ୍ରସଙ୍ଗ ପୁଣି ରାଜନୈତିକ ଚର୍ଚ୍ଚାର କେନ୍ଦ୍ରକୁ ଆସିପାରେ।
ଏହି ବିବାଦକୁ ନେଇ ଅଦାଲତରେ ମାମଲା ଚାଲିଥିବା ବେଳେ ମନ୍ଦିରର ଅବଶେଷ ଖୋଜିବା ପାଇଁ ସର୍ଭେ ଓ ଖନନ ସମ୍ପର୍କିତ ଆଇନଗତ ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ହୋଇଛି। କାଟଜୁଙ୍କ ମତରେ, ଏହି ପ୍ରସଙ୍ଗ ଯଦି ନିର୍ବାଚନ ସମୟରେ ଅଧିକ ଗୁରୁତ୍ୱ ପାଏ, ତେବେ ଏହା ଭୋଟରଙ୍କ ମାନସିକତାକୁ ପ୍ରଭାବିତ କରିପାରେ।