ଶ୍ରୀନଗର: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷାବାହିନୀର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଲସ୍କର-ଏ-ତୋଏବା ଆତଙ୍କବାଦୀ ମହମ୍ମଦ ଲତିଫ୍ ଭଟ୍ଟ ଏନକାଉଣ୍ଟରେ ନିପାତ ହୋଇଛି । ଲତିଫ କୁଲଗାମ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିଲା । କୁଲଗାମରେ ଏକ ମସଜିଦରେ ଲୁଚି ରହିଥିବାବେଳେ ତାକୁ ଏନକାଉଣ୍ଟର କରାଯାଇଛି ।
କୁଲଗାମ ଏସଏସପି ଇନାୟତ ଅଲୀଙ୍କ ସୂଚନା ମୁତାବକ, ଜମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷାବଳ ପକ୍ଷରୁ ଏକ ମିଳିତ ଅପରେସନ୍ କରାଯାଇଥିଲା । ଦେବସରର ଜାଙ୍ଗଲପୋରା ଅଞ୍ଚଳରେ ଥିବା ଏକ ମସଜିଦରେ ଲତିଫ୍ ଆତ୍ମଗୋପନ କରିଥିବା ଜଣାପଡ଼ିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା । ଏହା ପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଲତିଫକୁ ପ୍ରଥମେ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରାଯାଇଥିଲା । ମାତ୍ର ସେ ଆତ୍ମ ସମର୍ପଣ ନ କରିବାକୁ ବାଧ୍ୟ ହୋଇ ସୁରକ୍ଷାବଳ ତା ଉପରକୁ ଗୁଳି ଚଳାଇଥିଲା ।
ଏହା ପୂର୍ବରୁ କୁଲଗାମ ଆକ୍ରମଣରେ ସାମିଲ ଥିବା ଲତିଫର ସହଯୋଗୀ ଉମର ନିସାରକୁ ସୁରକ୍ଷାବାହିନୀ ଏନକାଉଣ୍ଟର୍ କରିଥିଲା ।
ଉଲ୍ଲେଖ ଯୋଗ୍ୟ, ଲତିଫ୍ କୁଲଗାମ ଜିଲ୍ଲାର ମୂଳ ବାସିନ୍ଦା ଅଟେ । ପାକିସ୍ତାନରୁ କାର୍ଯ୍ୟକାରୀ ହେଉଥିବା ଲସ୍କର-ଏ-ତୋଏବା ସଙ୍ଗଠନର ସେ ଜଣେ ସକ୍ରିୟ ସଦସ୍ୟ ଥିଲା । ଲତିଫ୍ ଏକାଧିକ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲା । ଚଳିତ ବର୍ଷ ଜୁଲାଇ ୨୨ ତାରିଖରେ ଅନନ୍ତନାଗର ଲାଲ୍ ଚୌକରେ ହୋଇଥିବା ଜଣେ ପୋଲିସ କନଷ୍ଟେବଳ ହତ୍ୟା ଏବଂ ୩୧ ଜୁଲାଇରେ ଜଣେ ପ୍ରବାସୀ ଶ୍ରମିକଙ୍କ ହତ୍ୟା ମାମଲାରେ ସେ ଜଡ଼ିତ ଥିଲା । ସେହିପରି ନିକଟରେ ୧୧ ନଭେମ୍ବରରେ ନିକଟରେ କୁଲଗାମରେ ସିଆରପିଏଫ୍ ଶିବିର ଉପରକୁ ଆକ୍ରମଣ ଘଟଣାରେ ସେ ଜଡ଼ିତ ଥିଲା । ପୋଲିସ ମହମ୍ମଦ ଲତୀଫ ଭଟ , ବିଲାଲ ଅହମଦ ମୀର, ମୋହମ୍ମଦ ଉମର ମୀର ଏବଂ ଆବିଦ କୟୁମ ଲୋନର ଫଟୋ ଜାରି କରି ପୁରସ୍କାର ଘୋଷଣା କରିଥିଲା ।