ଦିଲ୍ଲୀର ଆଇଜିଆଇ (IGI) ବିମାନବନ୍ଦରରେ CISF ଯବାନଙ୍କ ସତର୍କତା ଯୋଗୁଁ ଏକ ବଡ଼ ସୁରକ୍ଷା ତ୍ରୁଟି ଟଳିଯାଇଛି। ଟର୍ମିନାଲ୍-୩ ଭିତରକୁ ବିନା ଆବଶ୍ୟକୀୟ କାଗଜପତ୍ରରେ ପଶିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କୁ ଯବାନମାନେ ତୁରନ୍ତ କାବୁ କରିନେଇଛନ୍ତି।
ଦିଲ୍ଲୀରେ ଡ୍ୟୁଟିରେ ମୁତୟନ ଥିବା CISF ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଛନ୍ତି। କ୍ୱିକ୍ ରେସପନ୍ସ ଟିମ୍ ସହାୟତାରେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ତାଙ୍କୁ କାବୁ କରାଯାଇଥିଲା। CISFର ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବିମାନବନ୍ଦରର ସୁରକ୍ଷା ଭେଦ କରିବାର ଉଦ୍ୟମ ପଣ୍ଡ ହୋଇଛି। ବିମାନବନ୍ଦରର ସୁରକ୍ଷାକୁ ନେଇ ଯବାନମାନେ ସମ୍ପୂର୍ଣ୍ଣ ସତର୍କ ଓ ମୁତୟନ ରହିଥିବା CISF ପକ୍ଷରୁ କୁହାଯାଇଛି।
ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ବୁଧବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିଲା। ପଚରାଉଚରା ପାଇଁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିବା ବ୍ୟକ୍ତି ଜଣକ ହରିୟାଣାର ବାସିନ୍ଦା ବୋଲି ଜଣାପଡ଼ିଛି। CISF କହିଛି ଯେ ଦିଲ୍ଲୀ ଆଇଜିଆଇ ବିମାନବନ୍ଦରର ଟର୍ମିନାଲ୍-୩ ଡିପାର୍ଚର୍ ଗେଟ୍ରେ ମୁତୟନ ଯବାନମାନେ ବେଶ୍ ତତ୍ପରତା ଦେଖାଇଥିଲେ। ବିନା ବୈଧ ଯାତ୍ରା କାଗଜପତ୍ରରେ ଜବରଦସ୍ତ ଟର୍ମିନାଲ୍ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ଏହି ବ୍ୟକ୍ତିଙ୍କୁ ସେମାନେ ତୁରନ୍ତ ଧରି ପକାଇଥିଲେ।
ସିସିଟିଭି ଫୁଟେଜରେ କ’ଣ ରହିଛି?
ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ଯେ ସୁରକ୍ଷାକର୍ମୀମାନେ ଗେଟ୍ରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ଧରୁଛନ୍ତି, କିନ୍ତୁ ସେ ସେମାନଙ୍କୁ ଧକ୍କା ଦେଇ ଜବରଦସ୍ତ ଟର୍ମିନାଲ୍ ଭିତରକୁ ଦୌଡ଼ି ପଳାଉଛନ୍ତି। ଟର୍ମିନାଲ୍ ଭିତରେ କିଛି ମିଟର ପର୍ଯ୍ୟନ୍ତ ଦୌଡ଼ିଥିବା ସେହି ବ୍ୟକ୍ତିଙ୍କୁ ଧରିବା ପାଇଁ ଜଣେ ସଶସ୍ତ୍ର CISF ଯବାନ ନିଜ ସାଥୀଙ୍କୁ ସାହାଯ୍ୟ କରୁଛନ୍ତି। CISF ପକ୍ଷରୁ କୁହାଯାଇଛି ଯେ QRT ଯବାନମାନେ ଠିକ୍ ସମୟରେ ପହଞ୍ଚି ମାତ୍ର କିଛି ସେକେଣ୍ଡ ଭିତରେ ସେହି ବ୍ୟକ୍ତିଙ୍କୁ ଅଟକାଇ ଦେଇଥିଲେ। ଫଳରେ ସେ ବିନା ଅନୁମତିରେ ଭିତରକୁ ଯାଇପାରି ନ ଥିଲେ ଏବଂ ଏକ ବଡ଼ ସୁରକ୍ଷା ତ୍ରୁଟି ଟଳିଯାଇଥିଲା।
ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଗ୍ରୁ କିଛି ଆଇଡି କାର୍ଡ ଏବଂ ପାଠପଢ଼ାର ସାର୍ଟିଫିକେଟ୍ ଜବତ କରିଛନ୍ତି। ସୂଚନାଯୋଗ୍ୟ ଯେ, ଟର୍ମିନାଲ୍ ଭିତରକୁ ଯିବା ପାଇଁ ଯାତ୍ରୀମାନଙ୍କୁ ନିଜର ଟିକେଟ୍ ଏବଂ ଆଇଡି କାର୍ଡ ଦେଖାଇବାକୁ ପଡ଼ିଥାଏ। ସେହିପରି ବିମାନବନ୍ଦର କର୍ମଚାରୀମାନଙ୍କୁ ମଧ୍ୟ ଭିତରକୁ ପ୍ରବେଶ କରିବା ପାଇଁ ନିଜର ଆଇଡି କାର୍ଡ ଦେଖାଇବା ବାଧ୍ୟତାମୂଳକ ଅଟେ।