ମୁମ୍ବାଇ: ଅଣ୍ଡର୍ ୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ପୁରୁଣା ଆଡ୍ଡାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ବୃହନ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ଜାରି ନୋଟିସ୍ ଅନୁଯାୟୀ ଗୁରୁବାର ମୁମ୍ବାଇସ୍ଥିତ ଭିଣ୍ଡି ବଜାରରେ ଥିବା ମୁସାଫିରଖାନା କୋଠାକୁ ବୁଲଡୋଜର୍ ସାହାଯ୍ୟରେ ଭଙ୍ଗା ଯାଉଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମୁମ୍ବାଇ ଡିସିପି ମନୀଷ କଲବାନିୟାଙ୍କ ସୂଚନା ଦେଇଛନ୍ତି ଯେ ଆଜି ସକାଳୁ ଶାନ୍ତିପୂର୍ଣ୍ଣ ଭାବରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । କୌଣସି ଉତ୍ତେଜନା ପରିସ୍ଥିତିକୁ ମୁକାବିଲା କରିବାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଚ୍ଛେଦସ୍ଥଳ ଠାରୁ ଆରମ୍ଭ କରି ଚାରିପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସେପଟେ ଅସଦୁଦ୍ଦୀନ ଓବୈସୀଙ୍କ ଦଳ ଏଆଇଏମ୍ଆଇଏମ୍ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ଦଳର ନେତା ବାରିସ ପଠାନ ବିଏମସି କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଉଚ୍ଛେଦକୁ ରୋକିବାକୁ ନ୍ୟାୟିକ ବ୍ୟବସ୍ଥା ଆପଣାଯାଉଛି । ମସଜିଦ ପକ୍ଷରୁ ମାମଲା ଲଢ଼ୁଥିବା ୟୁସୁଉ ବାଗବାଲା କହିଛନ୍ତି ଯେ ନୋଟିସରେ ୧୮ ଏବଂ ୧୯ ତାରିଖରେ ଉଚ୍ଛେଦ ପାଇଁ ଉଲ୍ଲେଖ ରହିଥିଲା । ନୋଟିସ୍ ଉପରେ ରୋକ୍ ଲଗାଇବାକୁ ମାମଲାର ତ୍ୱରିତ ଶୁଣାଣି ପାଇଁ ୧୯ ତାରିଖ ସକାଳେ ବିଚାରପତି ସମୟ ଧାର୍ଯ୍ୟ କରିଛନ୍ତି । ବାରିସ ପଠାନ ଆଶାବ୍ୟକ୍ତ କରିଛନ୍ତି ଯେ ଅଦାଲତଙ୍କ ପକ୍ଷରୁ ନୋଟିସ୍ ଉପରେ ରହିତାଦେଶ ଜାରି ହେବ ।
ଉଲ୍ଲେଖ ଯୋଗ୍ୟ, ଏହି କୋଠା ଦାଉଦ ଇବ୍ରାହିମର ଅପରାଧର ଠିକଣା ଥିଲା । ଅନେକ ହିଂସାର ଷଡ଼ଯନ୍ତ୍ର ଏହିଠାରେ ବସି ସ୍ଥିର କରାଯାଇଛି । ୧୯୮୦ ଦଶକ ପର୍ଯ୍ୟନ୍ତ ଭିଣ୍ଡି ବଜାରରେ ଥିବା ଏହି କୋଠାଟି ଦାଉଦ ଇବ୍ରାହିମ୍ ଏବଂ ତା’ ଗ୍ୟାଙ୍ଗ୍ ପାଇଁ ଏକ ପ୍ରାରମ୍ଭିକ ଆଶ୍ରୟସ୍ଥଳୀ ଭାବରେ କାମ କରୁଥିଲା । ଏହା ସହିତ ଚୋରା ସାମଗ୍ରୀ ଲୁଚାଇ ରଖିବା ପାଇଁ ମଧ୍ୟ ଏହା ଏକ କେନ୍ଦ୍ର ଥିଲା। ୧୯୮୬ ମସିହାରେ ଭାରତ ଛାଡ଼ି ପଳାଇବା ପୂର୍ବରୁ, ଦାଉଦ ଇବ୍ରାହିମ୍ ଏବଂ ତା’ ପରିବାର ଏହି 'ମୁସାଫିରଖାନା' ଦ୍ୱିତୀୟ ମହଲାରେ ରହୁଥିଲେ। ଏଠାରେ ହିଁ ଦାଉଦଙ୍କର ନିଜସ୍ୱ କକ୍ଷ ଏବଂ କାର୍ଯ୍ୟାଳୟ ଥିଲା । ଖାଲି ସେତିକି ନୁହେଁ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମୂକ ସାକ୍ଷୀ ଥିଲା । ଏଠାରେ ହିଁ ବିସ୍ଫୋରଣର ଷଡ଼ଯନ୍ତ୍ର ପ୍ରସ୍ତୁତ କରାଯାଇଥିଲା।
ଦାଉଦ ଦେଶ ଛାଡ଼ି ଚାଲିଯିବା ପରେ, ତାଙ୍କ ମା’ ଅମିନା ବି ଏଠାରେ ରହିବା ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ, ତାଙ୍କ ଭାଇ ଇକବାଲ କାସ୍କର ମଧ୍ୟ ଏହି ସ୍ଥାନ ବ୍ୟବହାର କରୁଥିବା ନେଇ ଖବର ମିଳିଥିଲା।