ପୁରୀ: ଶ୍ରୀମନ୍ଦିରରେ ଅଘଟଣ। ଗୋଡ଼ ଖସି ପଡ଼ି ଆହତ ହେଲେ ଦର୍ପଣିଆ ସେବାୟତ। କଳାହାଟ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିବା ପରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ବଡ଼ମହାସ୍ନାନ ନୀତି। ଏଥିପାଇଁ ସାମୟିକ ଭାବେ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ।
ଆହତ ସେବାୟତ ହେଉଛନ୍ତି ପୁରୀ ବାଲିସାହି ବରାହୀଲେନ୍ର ମଦନ ମୋହନ ବେଜ। ସୂଚନା ଅନୁଯାୟୀ, ମଙ୍ଗଳ ଆଳତି ପରେ ଅବକାଶ ନୀତି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କଳାହାଟ ଦ୍ୱାର ନିକଟରେ ହଠାତ୍ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ତଳେ ପଡ଼ିଯାଇ ମୁଣ୍ଡରେ ଆଘାତ ପାଇଥିଲେ। ତୁରନ୍ତ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ଅନ୍ୟପଟେ, ସେବାୟତଙ୍କ ରକ୍ତ ଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ବିଧି ଅନୁଯାୟୀ ବଡ଼ମହାସ୍ନାନ ନୀତି ଅନୁଷ୍ଠିତ ହେଉଛି। ଏହି ନୀତି ଶେଷ ହେବା ପରେ ପୁଣିଥରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ଆରମ୍ଭ ହେବ।