ଭୁବନେଶ୍ୱର: ସମ୍ଭାବ୍ୟ ଭୀଷଣ ବାତ୍ୟା 'ଅକଭାନ'ର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବ, ଲୋକଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସେବାକୁ ସ୍ୱାଭାବିକ ରଖିବା ନେଇ SRC କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଶେଷ ହୋଇଛି। ଏହି ବାତ୍ୟା ମୁକାବିଲା ପାଇଁ ୬୦ଟି ଓଡ୍ରାଫ୍ ଟିମ୍ ଓ ୧୪ଟି NDRF ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଅନ୍ୟପଟେ ରାତି ସାରା ଖୋଲା ରହିବ SRC କଣ୍ଟ୍ରୋଲ ରୁମ୍।
SRC କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ୧୦ରୁ ଅଧିକ ବିଭାଗର ଅତିରିକ୍ତ ସଚିବ ଓ ପ୍ରମୁଖ ସଚିବଙ୍କ ସମେତ IMD ଭୁବନେଶ୍ୱରର ନିର୍ଦ୍ଦେଶିକା, ପୋଲିସ ADG ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ପୁରୀ-ନରସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା
ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ଭୀଷଣ ବାତ୍ୟା ଅକଭାନ ପୁରୀ ଓ ନରସିଂହପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ତେଣୁ ଏହାର ସଫଳ ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି।
ସ୍ଥାନାନ୍ତରଣ ଉପରେ ସର୍ବାଧିକ ଗୁରୁତ୍ୱ
ବାତ୍ୟା ପୂର୍ବରୁ ଲୋକଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଆଜି ରାତି ଓ ଆସନ୍ତାକାଲି ସୁଦ୍ଧା ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ଗର୍ଭବତୀ ମହିଳା, ଗୁରୁତର ରୋଗୀ ଏବଂ ଅନ୍ୟ ଅସହାୟ ବ୍ୟକ୍ତିଙ୍କ ସ୍ଥାନାନ୍ତରଣ ଉପରେ ଫୋକସ୍ କରାଯାଇଛି। ପାହାଡ଼ିଆ ଅଞ୍ଚଳ ଓ ପାହାଡ଼ ପାଦଦେଶରେ ରହୁଥିବା ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବାକୁ ପଦକ୍ଷେପ ନିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାରୁ ୧୫ ହଜାର ଏବଂ କନ୍ଧମାଳ ଜିଲ୍ଲାରୁ ୧୦ ହଜାର ୨୪୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଆହୁରି ଯେଉଁମାନେ ବିପଦପୂର୍ଣ୍ଣ ସ୍ଥାନରେ ରହିଛନ୍ତି, ସେମାନଙ୍କୁ ମଧ୍ୟ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାକୁ ପ୍ରଶାସନକୁ କୁହାଯାଇଛି।
ରାତି ସାରା ନଜର ରଖିବ SRC କଣ୍ଟ୍ରୋଲ ରୁମ୍
ବାତ୍ୟାର ପ୍ରତିଟି ଗତିବିଧି ଓ ଜିଲ୍ଲାସ୍ତରର ସ୍ଥିତି ଉପରେ ନଜର ରଖିବାକୁ SRC କାର୍ଯ୍ୟାଳୟର କଣ୍ଟ୍ରୋଲ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ। ବରିଷ୍ଠ IAS ଅଧିକାରୀ ଅରବିନ୍ଦ ପାଢ଼ୀ ରାତି ସାରା କଣ୍ଟ୍ରୋଲ ରୁମ୍ରେ ରହି ସମସ୍ତ ପରିସ୍ଥିତିର ତଦାରଖ କରିବେ। ଜିଲ୍ଲା ପ୍ରଶାସନଠାରୁ ନିୟମିତ ତଥ୍ୟ ସଂଗ୍ରହ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।
ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ବାତ୍ୟା ସମୟରେ ଜରୁରୀ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ହସ୍ପିଟାଲଗୁଡ଼ିକରେ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ସାପ କାମୁଡ଼ା ଚିକିତ୍ସା ପାଇଁ ଆଣ୍ଟିଭେନମ୍ ଇଞ୍ଜେକ୍ସନ ମହଜୁଦ ରଖାଯାଇଛି। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି।
ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ହସ୍ପିଟାଲ ସମେତ ଅତ୍ୟାବଶ୍ୟକ ସେବା ଯେପରି ଚାଲୁ ରହିବ, ସେଥିପାଇଁ ଜେନେରେଟର ପହଞ୍ଚାଇବାକୁ ସମ୍ପୃକ୍ତ ବିଭାଗକୁ ଆଗୁଆ ନିର୍ଦ୍ଦେଶ ଦିଆଯାଇଛି।
ଡ୍ୟାମ୍ ଉପରେ ମଧ୍ୟ ରହିବ କଡ଼ା ନଜର
ବାତ୍ୟା ଜନିତ ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଡ୍ୟାମ୍ ଥିବା ଅଞ୍ଚଳଗୁଡ଼ିକରେ ଇଞ୍ଜିନିୟରମାନଙ୍କୁ ମୁତୟନ କରାଯାଇଛି। ଜଳସ୍ତର ଓ ଅନ୍ୟାନ୍ୟ ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଆବଶ୍ୟକ ପାଣ୍ଠି ମଧ୍ୟ ପ୍ରସ୍ତୁତ ରଖାଯାଇଛି।
ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ
ବାତ୍ୟା ପରିସ୍ଥିତିକୁ ଦେଖି ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାରେ ଓଡ଼ିଶାର ଅଭିଜ୍ଞତା ରହିଛି। ତେଣୁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ସଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ସରକାର ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।