ବ୍ରହ୍ମପୁର: ବାତ୍ୟା ଆସିବା ପୂର୍ବରୁ ବିଦ୍ୟୁତ ବିଭାଗର ଜୋରଦାର ପ୍ରସ୍ତୁତି। ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ଆଲର୍ଟ TPSODL। ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ୮୦୦ ପ୍ରୋଜେକ୍ଟ କର୍ମଚାରୀ ଓ ୪୦୦ ଷ୍ଟାଣ୍ଡବାଇ କର୍ମଚାରୀଙ୍କୁ ନେଇ ପ୍ରସ୍ତୁତି ଜୋରଦାର। ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଆଗୁଆ ସତର୍କ ହୋଇଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPSODL)। ବାତ୍ୟା ସମୟରେ ବିଦ୍ୟୁତ ସେବାକୁ ସ୍ୱାଭାବିକ ରଖିବା ଏବଂ ଯେକୌଣସି ବିଦ୍ୟୁତ ବିଭ୍ରାଟର ତୁରନ୍ତ ମରାମତି ପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
୮ ଜିଲ୍ଲାରେ ମୁତୟନ ହେବେ ହଜାର ହଜାର କର୍ମଚାରୀ
ବାତ୍ୟା ମୁକାବିଲା ପାଇଁ TPSODL ପକ୍ଷରୁ ୬,୪୭୪ ଜଣ କର୍ମଚାରୀଙ୍କୁ ନେଇ ଡିଭିଜନ୍ ସ୍ତରୀୟ ନିୟୋଜନ ଯୋଜନା ପ୍ରସ୍ତୁତ ହୋଇଛି। ଏହାସହ ୮୦୦ ଜଣ କୁଶଳୀ ଓ ଅଣକୁଶଳୀ ପ୍ରୋଜେକ୍ଟ କର୍ମଚାରୀ ଏବଂ ଅତିରିକ୍ତ ୪୦୦ ଜଣ ଷ୍ଟାଣ୍ଡବାଇ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଏହି ପ୍ରସ୍ତୁତି କରାଯାଇଛି। ଆବଶ୍ୟକ ପଡ଼ିଲେ ଅନ୍ୟ ଟାଟା ପାୱାର ବିତରଣ କମ୍ପାନୀରୁ ମଧ୍ୟ ଅତିରିକ୍ତ କର୍ମଚାରୀ ଅଣାଯିବ।
୩୫୮ ଗାଡ଼ି, ୪ ମୋବାଇଲ୍ ସବ୍ଷ୍ଟେସନ୍ ରେଡି
ଜରୁରିକାଳୀନ ସ୍ଥିତିରେ ବିଦ୍ୟୁତ ସେବାର ତୁରନ୍ତ ପୁନରୁଦ୍ଧାର ପାଇଁ ୪ଟି ମୋବାଇଲ୍ ଡିଷ୍ଟ୍ରିବ୍ୟୁସନ୍ ସବ୍ଷ୍ଟେସନ୍ ଏବଂ ୩୫୮ଟି ଗାଡ଼ି ପ୍ରସ୍ତୁତ ରଖାଯାଇଛି। ଏହାସହ ରାତିରେ ମରାମତି କାମ ପାଇଁ ୨୫ଟି ଆସ୍କା ଲାଇଟ୍, ୧୯ଟି ଡିଜେଲ୍ ଜେନେରେଟର ଏବଂ ଗଛଡାଳ କାଟିବା ପାଇଁ ୬୯୬ଟି ଯନ୍ତ୍ର ମହଜୁଦ ରହିଛି।
ବିଦ୍ୟୁତ ଭିତ୍ତିଭୂମି ସୁରକ୍ଷା ପାଇଁ ବ୍ୟାପକ ସାମଗ୍ରୀ ମହଜୁଦ
ବାତ୍ୟାରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ଓ ତାର କ୍ଷତିଗ୍ରସ୍ତ ହେଲେ ତୁରନ୍ତ ମରାମତି ପାଇଁ କମ୍ପାନୀ ପକ୍ଷରୁ ବିପୁଳ ପରିମାଣର ସାମଗ୍ରୀ ରଖାଯାଇଛି।
- ୩୦ଟି ପାୱାର ଟ୍ରାନ୍ସଫର୍ମର
- ୧୭୬ଟି ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର
- ୨,୮୦୫ ସର୍କିଟ୍ କିଲୋମିଟର ବେୟାର କଣ୍ଡକ୍ଟର
- ୨୫୪ ସର୍କିଟ୍ କିଲୋମିଟର LT ଏରିଆଲ୍ ବଞ୍ଚଡ୍ କେବୁଲ୍
- ୧୧୩ ସର୍କିଟ୍ କିଲୋମିଟର HT XLPE କେବୁଲ୍
ଏହାସହ ୫ଟି ମୁଖ୍ୟ ଷ୍ଟୋର୍ ଓ ୧୬ଟି ଟ୍ରାଞ୍ଜିଟ୍ ଷ୍ଟୋର୍ ମାଧ୍ୟମରେ ଆବଶ୍ୟକୀୟ ସାମଗ୍ରୀ ତୁରନ୍ତ ଯୋଗାଇବାର ବ୍ୟବସ୍ଥା ହୋଇଛି।
ବ୍ରହ୍ମପୁରରୁ ୨୪ ଘଣ୍ଟିଆ ନଜର, ଆମ୍ବଗଡ଼ରେ କେନ୍ଦ୍ରୀୟ କଣ୍ଟ୍ରୋଲ୍ ରୁମ୍
ବ୍ରହ୍ମପୁର ଆମ୍ବଗଡ଼ସ୍ଥିତ କେନ୍ଦ୍ରୀୟ ଜରୁରିକାଳୀନ ନିୟନ୍ତ୍ରଣ କେନ୍ଦ୍ରରୁ ୨୪ ଘଣ୍ଟିଆ ତଦାରଖ କରାଯିବ। ଏହାସହ ଜୟପୁର, ରାୟଗଡ଼ା ଓ ଭଞ୍ଜନଗରରେ ଥିବା ଏରିଆ ପାୱାର ସିଷ୍ଟମ୍ କଣ୍ଟ୍ରୋଲ୍ ସେଣ୍ଟର ମଧ୍ୟ ସକ୍ରିୟ ରହିବ। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ପରିସ୍ଥିତି ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯିବ।
ବିଦ୍ୟୁତ ସମସ୍ୟା ହେଲେ ଏହି ନମ୍ବରରେ କରନ୍ତୁ ଫୋନ୍
ବାତ୍ୟା ସମୟରେ ବିଦ୍ୟୁତ ସମ୍ବନ୍ଧୀୟ ଅଭିଯୋଗ ଓ ଜରୁରିକାଳୀନ ସୂଚନା ପାଇଁ TPSODL ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍ ବ୍ୟବସ୍ଥା ରହିଛି।
- ଟୋଲ୍ ଫ୍ରି ନମ୍ବର:
- ୧୯୧୨
- ୧୮୦୦ ୨୦୨୬
- ମିସ୍ଡ୍ କଲ୍ ଅଭିଯୋଗ ସୁବିଧା: ୯୭୭୭୭୭୪୬୯୯
ସେ ଗ୍ରାହକମାନଙ୍କୁ ସତର୍କ ରହିବା ସହ ସରକାରୀ ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛନ୍ତି। ବିଶେଷକରି ଜଳମଗ୍ନ ଅଞ୍ଚଳରେ ପଡ଼ିଥିବା ବିଦ୍ୟୁତ ତାର, ଭାଙ୍ଗିଯାଇଥିବା ଖୁଣ୍ଟ ଓ କ୍ଷତିଗ୍ରସ୍ତ ବୈଦ୍ୟୁତିକ ଉପକରଣଠାରୁ ନିରାପଦ ଦୂରତା ରଖିବାକୁ ସେ ପରାମର୍ଶ ଦେଇଛନ୍ତି।