ଭୁବନେଶ୍ୱର: ବାତ୍ୟା ଅକ୍ୱନର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସରକାର ୪ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଚାରୋଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ପୁରୀ ଜିଲ୍ଲା ପାଇଁ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ସମୀର ପ୍ରଧାନ ଏବଂ ଗଜପତି ଜିଲ୍ଲା ଦାୟିତ୍ୱରେ ମାନସୀ ନିମ୍ଭାଲଚ୍ଛଙ୍କୁ ନିୟୋଜିତ କରାଯାଇଛି । ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ତତ୍କାଳସ୍ୱରୂପ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ବାତ୍ୟା ପାଇଁ ପାହାଡ଼ିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ବାତ୍ୟା ପାଇଁ ଆଗାମୀ ତିନି ଦିନ ୧୯, ୨୦ ଓ ୨୧ ତାରିଖ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂରେ ରଖାଯାଇଛି । ଅନ୍ୟ ବାକି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି । ସେହିପରି ୨୦ ତାରିଖ ପାଇଁ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ ତାରିଖ ପାଇଁ ୧୩ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖ ପାଇଁ ବାକି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।