ବରଗଡ଼ : ବୁଧବାର ବରଗଡ଼ ସହରସ୍ଥିତ ଗଣପତି ହୋଟେଲ ସମ୍ମୁଖରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ କାର୍ କ୍ଷତିଗ୍ରସ୍ତ ହୋଇ ଥିବାବେଳେ କାର୍ ଭିତରେ ବସିଥିବା ୪ ସାମ୍ବାଦିକ ରବି ପଣ୍ଡା, ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର ଏବଂ ରଞ୍ଜନ ଦେବତା ସୌଭାଗ୍ୟବଶତଃ ରକ୍ଷା ପାଇ ଯାଇଛନ୍ତି। ସେମାନେ ଅତାବିରା ଥାନା ସରଣ୍ଡାକୁ ଏକ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯିବା ବାଟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସହରରେ ବିନା ଫିଟନେସ ତଥା ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଯାନବାହାନ ଚାଲୁଥିବା ବେଳେ ପରିବହନ ବିଭାଗ ଆଖି ବୁଜି ଦେଇଛି।
ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବହୁବାର ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ମୃତାହତ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିବା ସହ ରାସ୍ତା ଅବରୋଧ ହୋଇଥିଲା । ଗତ ଦୁଇ ଦିନ ତଳେ ମଧ୍ଯ ଏକ ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଥିଲା। ବେପାରୁଆ ଟ୍ରକ୍ ଡ୍ରାଇଭରଙ୍କ ଯୋଗୁ ଏପରି ଘଟୁଥିବା ସାଧାରଣରେ ଦାବି ହୋଇଛି।