ମୁମ୍ବାଇ: ୧୯୯୩ ମୁମ୍ବାଇ ବିସ୍ଫୋରଣର ମୂକ ସାକ୍ଷୀ ଥିବା ଦାଉଦ ଇବ୍ରାହିମ ପୁରୁଣା ଠିକଣା ଉପରେ ଚାଲିବ ବୁଲଡୋଜର୍ । ମୁମ୍ବାଇର ଭିଣ୍ଡି ବଜାରରେ ଅବସ୍ଥିତ ୧୪୦ ବର୍ଷ ପୁରୁଣା 'ହାଜି ଇସମାଇଲ ହବିବ ମୁସାଫିରଖାନା'ର ଅବଶିଷ୍ଟ ଅଂଶକୁ ଭାଙ୍ଗିବା ପାଇଁ ବୃହନ୍ ମୁମ୍ବାଇ ମହାନଗର ନିଗମ ପ୍ରସ୍ତୁତି ଚଳାଇଛି। ନଭେମ୍ବର ୧୬ ତାରିଖରେ ବିଏମସି ପକ୍ଷରୁ ଉଚ୍ଛେଦ ପାଇଁ ନୋଟିସ୍ ଜାରି ହୋଇଛି ।
ଏହି କୋଠାରେ ତଳ ମହଲାରେ ଚାଲିଥିବା 'ପ୍ରାର୍ଥନା ଗୃହ'କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା ଚଉଡ଼ା ହେବା ସହିତ ବିପଜ୍ଜନକ ଅବସ୍ଥାରେ କୋଠାକୁ ହଟାଇ ଦିଆଯାଇପାରିବ। ସେପଟେ ଦାଉଦ ଇବ୍ରାହିମଙ୍କ ସହ ସମ୍ପୃକ୍ତ ଥିବା ଏହି କୋଠାର ଅବଶିଷ୍ଟ ଅଂଶକୁ ଭାଙ୍ଗିବା ପାଇଁ ନିଆଯାଇଥିବା ପଦକ୍ଷେପ ଚିନ୍ତାର ବିଷୟ ପାଲଟିଛି। ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିପାରେ ବୋଲି ଆଶଙ୍କା କରିଛି ବିଏମସି ।
ବିଏମସିର ଏହି ପଦକ୍ଷେପକୁ ନେଇ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ମ୍ୟୁନିସିପାଲିଟି ପ୍ରଶାସନ ଦ୍ୱାରା ଏହି କୋଠାର ତଳ ମହଲାକୁ 'ପ୍ରାର୍ଥନା ସ୍ଥଳ' ବୋଲି କହିବାକୁ ନେଇ ବିରୋଧୀ ଦଳ ଏବଂ ସ୍ଥାନୀୟ ବାସିନ୍ଦାମାନେ ଦୃଢ଼ ବିରୋଧ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ସମେତ କଂଗ୍ରେସ ଏବଂ ଏଆଇଏମଆଇଏମ୍ ଦଳର ନେତାମାନେ ଏହି କାର୍ଯ୍ୟର ବିରୋଧ କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ଏହି ସମ୍ପତ୍ତିଟି ଏକ ମସଜିଦ୍ ଅଟେ ଏବଂ ଏହା 'ୱାକଫ୍ ବୋର୍ଡ' ଅଧୀନରେ ରହିଛି। ଏହି ଭଙ୍ଗା କାର୍ଯ୍ୟକୁ ରୋକିବା ପାଇଁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଏଆଇଏମଆଇଏମ୍ ନେତା ୱାରିସ୍ ପଠାନ କହିଛନ୍ତି ଯେ, ସୁପ୍ରିମକୋର୍ଟ ଏବଂ ୱାକଫ୍ ଟ୍ରିବ୍ୟୁନାଲଙ୍କ ପକ୍ଷରୁ ସ୍ଥଗିତାଦେଶ ଜାରି କରାଯାଇଥିବା ସତ୍ତ୍ୱେ ଏଭଳି ନୋଟିସ୍ ଜାରି କରିବା ସମ୍ପୂର୍ଣ୍ଣ ବେଆଇନ ଅଟେ। ପଠାନ ନିଜର ଆଇନଗତ ଯୁକ୍ତି ଉପସ୍ଥାପନ କରିବା ପାଇଁ ୧୫ ଦିନର ସମୟ ମାଗିଛନ୍ତି।
ଏହି କୋଠା ଦାଉଦ ଇବ୍ରାହିମର ଅପରାଧର ଠିକଣା ଥିଲା । ଅନେକ ହିଂସାର ଷଡ଼ଯନ୍ତ୍ର ଏହିଠାରେ ବସି ସ୍ଥିର କରାଯାଇଛି । ୧୯୮୦ ଦଶକ ପର୍ଯ୍ୟନ୍ତ ଭିଣ୍ଡି ବଜାରରେ ଥିବା ଏହି କୋଠାଟି ଦାଉଦ ଇବ୍ରାହିମ୍ ଏବଂ ତା’ ଗ୍ୟାଙ୍ଗ୍ ପାଇଁ ଏକ ପ୍ରାରମ୍ଭିକ ଆଶ୍ରୟସ୍ଥଳୀ ଭାବରେ କାମ କରୁଥିଲା । ଏହା ସହିତ ଚୋରା ସାମଗ୍ରୀ ଲୁଚାଇ ରଖିବା ପାଇଁ ମଧ୍ୟ ଏହା ଏକ କେନ୍ଦ୍ର ଥିଲା। ୧୯୮୬ ମସିହାରେ ଭାରତ ଛାଡ଼ି ପଳାଇବା ପୂର୍ବରୁ, ଦାଉଦ ଇବ୍ରାହିମ୍ ଏବଂ ତା’ ପରିବାର ଏହି 'ମୁସାଫିରଖାନା' ଦ୍ୱିତୀୟ ମହଲାରେ ରହୁଥିଲେ। ଏଠାରେ ହିଁ ଦାଉଦଙ୍କର ନିଜସ୍ୱ କକ୍ଷ ଏବଂ କାର୍ଯ୍ୟାଳୟ ଥିଲା । ଖାଲି ସେତିକି ନୁହେଁ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମୂକ ସାକ୍ଷୀ ଥିଲା । ଏଠାରେ ହିଁ ବିସ୍ଫୋରଣର ଷଡ଼ଯନ୍ତ୍ର ପ୍ରସ୍ତୁତ କରାଯାଇଥିଲା।
ଦାଉଦ ଦେଶ ଛାଡ଼ି ଚାଲିଯିବା ପରେ, ତାଙ୍କ ମା’ ଅମିନା ବି ଏଠାରେ ରହିବା ଜାରି ରଖିଥିଲେ । ପରବର୍ତ୍ତୀ ସମୟରେ, ତାଙ୍କ ଭାଇ ଇକବାଲ କାସ୍କର ମଧ୍ୟ ଏହି ସ୍ଥାନ ବ୍ୟବହାର କରୁଥିବା ନେଇ ଖବର ମିଳିଥିଲା।