ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ମହଲରେ ବିବାଦ ଜାରି ରହିଥିବାବେଳେ, ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କ ଦ୍ୱାରା ଦାଖଲ ୪୮ଟି ପ୍ରଶ୍ନ ସମ୍ପର୍କିତ ଆବେଦନ ଉପରେ ତୁରନ୍ତ ଶୁଣାଣି କରିନାହାନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ଆୟୋଗ (ECI) ନିଜର ଆପତ୍ତି ଓ ଜବାବ ଦାଖଲ କରିବା ପରେ ହିଁ ଏହି ମାମଲାରେ ଆଗକୁ ବଢ଼ାଯିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନ ବିଚାରପତି। ଆସନ୍ତା ଡିସେମ୍ବର ୯ରେ ହେବ ପରବର୍ତ୍ତୀ ଶୁଣାଣି।
ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ନିର୍ବାଚନ ଆୟୋଗ ପକ୍ଷରୁ ଆବେଦନ ଉପରେ ଆପତ୍ତି ଦାଖଲ କରାଯିବା ପରେ ୪୮ଟି ପ୍ରଶ୍ନର ଅନୁମତି ସମ୍ପର୍କରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।
ନିର୍ବାଚନ ଆୟୋଗର ଆପତ୍ତି କ'ଣ ?
ନିର୍ବାଚନ ଆୟୋଗ ପକ୍ଷରୁ ମାମଲାରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆବେଦନ ଉପରେ ଗୁରୁତର ଆପତ୍ତି ରହିଥିବା କୋର୍ଟଙ୍କୁ ଜଣାଇଥିଲେ। ଏହି ଆବେଦନର କିଛି ଦିଗ ଉପରେ ଆୟୋଗର ପକ୍ଷ ରଖିବା ଆବଶ୍ୟକ ବୋଲି ସେ କହିଥିଲେ।
ଏହାର ଉତ୍ତରରେ CJI ସୂର୍ଯ୍ୟକାନ୍ତ ଆୟୋଗକୁ ନିଜର ଜବାବ ଦାଖଲ କରିବା ସହ ଆଇନଗତ ଆପତ୍ତି ଉଠାଇବାକୁ କହିଥିଲେ। ଏହାପରେ ଆବେଦନରେ ଉଠାଯାଇଥିବା ପ୍ରଶ୍ନଗୁଡ଼ିକର ଯଥାର୍ଥତା ଉପରେ ବିଚାର କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ।
ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ରଖିଥିଲେ। ନିର୍ବାଚନ ଆୟୋଗଙ୍କୁ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ମଗାଯାଇଥିବାରୁ ଏହାର ଜବାବ ଦେବାରେ କୌଣସି ଅସୁବିଧା ହେବା କଥା ନୁହେଁ ବୋଲି ସେ କହିଥିଲେ।
କ'ଣ ଜାଣିବାକୁ ଚାହୁଁଛନ୍ତି ରାହୁଲ ଓ ବିରୋଧୀ ନେତା ?
ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡିଆ ମେଣ୍ଟର ଅନ୍ୟ ନେତାମାନେ ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ଦେଶବ୍ୟାପୀ SIR ପ୍ରକ୍ରିୟାକୁ କିଏ ଅନୁମୋଦନ ଦେଇଥିଲା, ଏହା ସମ୍ପର୍କିତ ନିଷ୍ପତ୍ତି କିପରି ନିଆଯାଇଥିଲା ଏବଂ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିବା ପଛରେ କେଉଁ ପ୍ରକ୍ରିୟା ଅନୁସରଣ କରାଯାଇଥିଲା, ସେସବୁର ସ୍ପଷ୍ଟୀକରଣ ଚାହିଁଛନ୍ତି ଆବେଦନକାରୀ।
ଏଥିସହ ଅନଲାଇନ୍ ଭୋଟର ପଞ୍ଜୀକରଣ ଫର୍ମ-୬ରେ କରାଯାଇଥିବା ପରିବର୍ତ୍ତନ, ECI-NET ଓ ERO-NET ଭଳି ଡିଜିଟାଲ ବ୍ୟବସ୍ଥାର କାର୍ଯ୍ୟପ୍ରଣାଳୀ ଏବଂ ଏହା ଉପରେ କାହାର ନିୟନ୍ତ୍ରଣ ରହିଛି, ସେନେଇ ମଧ୍ୟ ପ୍ରଶ୍ନ କରାଯାଇଛି।
ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ
ଆବେଦନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ନେତାମାନେ। ଦେଶବ୍ୟାପୀ SIR ଲାଗୁ କରିବା ସମ୍ପର୍କିତ ନିଷ୍ପତ୍ତି ନିର୍ବାଚନ ଆୟୋଗର ତିନିଜଣ ସଦସ୍ୟଙ୍କ ସାମୂହିକ ସହମତିରେ ନିଆଯାଇଥିଲା କି ନାହିଁ, ତାହା ସ୍ପଷ୍ଟ କରିବାକୁ ଦାବି ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଜାଣତରେ ଓ ଅନୁମୋଦନରେ ନିଷ୍ପତ୍ତି ନେଇଥିଲେ କି ନାହିଁ, ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ଆବେଦନକାରୀ।
ଏହି ସମସ୍ତ ପ୍ରଶ୍ନର ଉତ୍ତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର, ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ, ଉପ ନିର୍ବାଚନ ଆୟୁକ୍ତ ଭାନୁ ପ୍ରକାଶ ଯେତୁରୁଙ୍କ ସମେତ ଆୟୋଗର IT ବିଭାଗର ମହାନିର୍ଦ୍ଦେଶକଙ୍କଠାରୁ ସତ୍ୟପାଠ ମାଧ୍ୟମରେ ନିଆଯାଉ ବୋଲି ଆବେଦନରେ ଅନୁରୋଧ କରାଯାଇଛି।