ନୂଆଦିଲ୍ଲୀ, ଉଦୟପୁର: ଘରେ ମୋବାଇଲ୍ ଧରି ରିଲ୍ସ ଦେଖିଲେ ମାତାପିତାଙ୍କଠାରୁ ଗାଳି ଶୁଣିବାକୁ ପଡ଼ୁଛି କି? ଏବେ ଆଉ ଗାଳି ନୁହେଁ, ରିଲ୍ସ ଦେଖିଲେ ମିଳିବ ଚାକିରି। ହଁ, ଏ କଥା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ରାଜସ୍ଥାନର ଉଦୟପୁରରେ ଏଭଳି ଏକ ନିଆରା ଚାକିରି ସୁଯୋଗ ସୃଷ୍ଟି ହୋଇଛି। ଇନଷ୍ଟାଗ୍ରାମରେ ରିଲ୍ସ ଦେଖିବା ସହ ଭାଇରାଲ୍ ଟ୍ରେଣ୍ଡ ଚିହ୍ନଟ କରିବା ପାଇଁ ଜଣେ 'ପ୍ରୋଫେସନାଲ୍ ଡୁମ୍ସ୍କ୍ରୋଲର୍'ଙ୍କୁ ଖୋଜୁଛି ଏକ କମ୍ପାନୀ।
କ'ଣ ଏହି ଡୁମ୍ସ୍କ୍ରୋଲର୍ ଚାକିରି?
ଉଦୟପୁରର 'ଇନ୍ଫ୍ଲୁଇସ୍' ନାମକ ଏକ କମ୍ପାନୀ ଏହି ଅଜବ ଚାକିରିର ବିଜ୍ଞାପନ ଦେଇଛି। ଏହି ପଦବୀରେ ନିଯୁକ୍ତ ବ୍ୟକ୍ତିଙ୍କୁ ଦିନସାରା ଇନଷ୍ଟାଗ୍ରାମ ରିଲ୍ସ ଦେଖିବାକୁ ପଡ଼ିବ। କେଉଁ ଭିଡିଓ ଭାଇରାଲ୍ ହେଉଛି, କେଉଁ ଟ୍ରେଣ୍ଡ ଲୋକଙ୍କୁ ଆକର୍ଷିତ କରୁଛି ଏବଂ ସୋସିଆଲ୍ ମିଡିଆରେ କେଉଁ ବିଷୟ ଚର୍ଚ୍ଚାରେ ରହିଛି, ସେସବୁ ଚିହ୍ନଟ କରି କମ୍ପାନୀକୁ ରିପୋର୍ଟ କରିବାକୁ ହେବ।
ଆବେଦନ ପାଇଁ କ'ଣ କରିବେ?
କମ୍ପାନୀ ଏକ ଇନଷ୍ଟାଗ୍ରାମ ଭିଡିଓ ମାଧ୍ୟମରେ ଏହି ନିଯୁକ୍ତି ବିଷୟରେ ଘୋଷଣା କରିଛି। ଆଗ୍ରହୀ ପ୍ରାର୍ଥୀଙ୍କୁ ଉକ୍ତ ଭିଡିଓରେ 'Hi' କମେଣ୍ଟ କରିବାକୁ କୁହାଯାଇଛି। ଉଦୟପୁରର ଆବେଦନକାରୀଙ୍କୁ ମେସେଜ୍ ଜରିଆରେ ଆବେଦନ ଲିଙ୍କ୍ ପଠାଯାଉଛି।
ଆବେଦନ ଫର୍ମରେ ନିଜ ନାମ, ଫୋନ୍ ନମ୍ବର, ଠିକଣା, ବର୍ତ୍ତମାନର ଦରମା ଓ ଆଶାୟୀ ଦରମା ସମ୍ପର୍କରେ ତଥ୍ୟ ଦେବାକୁ ପଡ଼ିବ। ଏହା ସହିତ ପୂର୍ଣ୍ଣକାଳୀନ ଚାକିରି ନା ଇଣ୍ଟର୍ନସିପ୍ ପାଇଁ ଆବେଦନ କରୁଛନ୍ତି, ତାହା ଚୟନ କରିବାକୁ ହେବ। ନିଜର ବାୟୋଡାଟା ମଧ୍ୟ ଅପଲୋଡ୍ କରିବାକୁ ପଡ଼ିବ।
୩୪ ଲକ୍ଷରୁ ଅଧିକ ଭ୍ୟୁ, ୧୧ ହଜାରରୁ ଅଧିକ ଆବେଦନ ଅନୁରୋଧ
ଏହି ନିଆରା ଚାକିରିର ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କମ୍ପାନୀର ଭିଡିଓକୁ ୩.୪ ନିୟୁତରୁ ଅଧିକ ଭ୍ୟୁ ମିଳିଛି। ଏଥିସହ ୧୧ ହଜାରରୁ ଅଧିକ ଲୋକ ଆବେଦନ ଫର୍ମ ପାଇଁ ଅନୁରୋଧ କରିସାରିଛନ୍ତି। ତେବେ ଏହି ଚାକିରି ପାଇଁ କେତେ ଦରମା ମିଳିବ, ସେନେଇ କମ୍ପାନୀ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ରିଲ୍ସ ଦେଖିବାକୁ ଭଲ ପାଉଥିବା ଯୁବପିଢ଼ିଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଆକର୍ଷଣୀୟ ଚାକିରି ସୁଯୋଗ।