ନୂଆଦିଲ୍ଲୀ:: ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST)ଙ୍କ ପାଇଁ ରାଜନୈତିକ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନମଣ୍ଡଳୀ ସବୁବେଳେ SC/ST ବର୍ଗ ପାଇଁ ସଂରକ୍ଷିତ ରହିବ, ଏଭଳି ଅଧିକାର କୌଣସି ଭୋଟର କିମ୍ବା ପ୍ରାର୍ଥୀ ଦାବି କରିପାରିବେ ନାହିଁ। ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ସଂରକ୍ଷିତ ଆସନ ପରିବର୍ତ୍ତନ ବା ରୋଟେସନ୍ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରି କୋର୍ଟ ଏହି ମତ ରଖିଛନ୍ତି।
କ'ଣ କହିଲେ ସର୍ବୋଚ୍ଚ ନ୍ୟାୟାଳୟ ?
ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ରର ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ନିର୍ବାଚନରେ SC/ST ସଂରକ୍ଷିତ ଆସନର ରୋଟେସନ୍ ନିୟମକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ। କୋର୍ଟଙ୍କ କହିବା ଅନୁଯାୟୀ, ସମ୍ବିଧାନ ଓ ସମ୍ପୃକ୍ତ ଆଇନରେ ସ୍ଥାନୀୟ ସଂସ୍ଥାରେ SC/ST ଜନସଂଖ୍ୟା ଅନୁପାତ ଅନୁସାରେ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସବୁବେଳେ ସଂରକ୍ଷିତ ରଖିବାର ଗ୍ୟାରେଣ୍ଟି ଆଇନ ଦେଉନାହିଁ।
ସଂରକ୍ଷିତ ଆସନ କେଉଁ ପଦ୍ଧତିରେ ଓ କେଉଁ ସମୟରେ ପରିବର୍ତ୍ତନ ହେବ, ସେନେଇ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ନେବାର ଅଧିକାର ରହିଛି ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।
କାହିଁକି କୋର୍ଟରେ ପହଞ୍ଚିଥିଲା ମାମଲା?
ମହାରାଷ୍ଟ୍ର ସରକାର ୨୦୨୫ରେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଆସନର ସଂରକ୍ଷଣ ଏବଂ ରୋଟେସନ୍ ପାଇଁ ନୂଆ ନିୟମ ଆଣିଥିଲେ। ଏହି ନିୟମର ଧାରା ୧୨ ଅନୁଯାୟୀ, ନୂଆ ନିୟମ ଲାଗୁ ହେବା ପରେ ହେଉଥିବା ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ରୋଟେସନ୍ର ପ୍ରଥମ ନିର୍ବାଚନ ଭାବେ ଗଣନା କରାଯିବ।
ଏହି ବ୍ୟବସ୍ଥାକୁ ବିରୋଧ କରି ରୁପାଲି ଇନ୍ଦ୍ରଭୂଷଣ ସୋଣ୍ଡେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ରୋଟେସନ୍ ପ୍ରକ୍ରିୟାକୁ ନୂଆ କରି ଆରମ୍ଭ କରିବା ଦ୍ୱାରା ଯେଉଁ ନିର୍ବାଚନମଣ୍ଡଳୀଗୁଡ଼ିକ ପୂର୍ବରୁ ସଂରକ୍ଷଣ ପାଇନାହାନ୍ତି, ସେମାନେ ଆଗକୁ ମଧ୍ୟ ସୁଯୋଗରୁ ବଞ୍ଚିତ ହୋଇପାରନ୍ତି।
ଏହାଦ୍ୱାରା କମ୍ SC/ST ଜନସଂଖ୍ୟା ଥିବା ଅଞ୍ଚଳଗୁଡ଼ିକରେ ସଂରକ୍ଷଣର ସୁଯୋଗ ଦୀର୍ଘ ସମୟ ପର୍ଯ୍ୟନ୍ତ ମିଳିନପାରେ ବୋଲି ଆବେଦନକାରୀଙ୍କ ଯୁକ୍ତି ଥିଲା। ଏହି ନିୟମ ସମ୍ବିଧାନର ଧାରା ୧୪ରେ ଥିବା ସମାନତା ଅଧିକାରର ଉଲ୍ଲଂଘନ ବୋଲି ମଧ୍ୟ ଦର୍ଶାଯାଇଥିଲା।
ଆବେଦନ ଖାରଜ, ତଥାପି ରହିଲା ଏକ ସୁଯୋଗ
ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ ନକରି ନୂଆ ରୋଟେସନ୍ ବ୍ୟବସ୍ଥାକୁ ରଦ୍ଦ କରିବାର କୌଣସି ଆଇନଗତ ଆଧାର ନଥିବା କହି ଆବେଦନ ଖାରଜ କରିଛନ୍ତି।
ତେବେ ସଂରକ୍ଷିତ ଆସନର ରୋଟେସନ୍ ବ୍ୟବସ୍ଥାର ପୁନର୍ବିଚାର ପାଇଁ ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିବାରେ ଏହି ରାୟ ବାଧା ସୃଷ୍ଟି କରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।