ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବାର ଆଭାସ। ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛନ୍ତି ଆମେରିକା, ରୁଷିଆ ଓ ଚୀନ୍ର ଶୀର୍ଷ ନେତା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ନଭେମ୍ବର ୧୯ ତାରିଖରେ ଚୀନ୍ର ଶେନଝେନ୍ରେ ଏକାଠି ବୈଠକ କରିବେ। ଏହି ତିନି ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରଥମ ମୁହାଁମୁହିଁ ତ୍ରିପାକ୍ଷିକ ବୈଠକ ହେବାକୁ ଯାଉଥିବାରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଛି ବେଜିଂ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହି ବୈଠକକୁ ବିଶ୍ୱ ରାଜନୀତି ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି କହିଛି। ଏହାଦ୍ୱାରା ବିଶ୍ୱଶାନ୍ତି ଓ ପ୍ରମୁଖ ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ରଣନୈତିକ ସ୍ଥିରତା ଆଣିବା ଦିଗରେ ଆଲୋଚନା ହୋଇପାରେ।
କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଏହି ବୈଠକ ?
ଚଳିତ ସପ୍ତାହରେ ଚୀନ୍ରେ ଆୟୋଜିତ ହେବାକୁ ଥିବା ଏସିଆ-ପ୍ୟାସିଫିକ୍ ଇକୋନୋମିକ୍ କୋଅପରେସନ୍ (APEC) ଶିଖର ସମ୍ମିଳନୀ ଅବସରରେ ଏହି ତିନି ନେତା ପରସ୍ପରଙ୍କୁ ଭେଟିବେ। ବିଶ୍ୱର ତିନି ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ଏକାଠି ବସି ଆଲୋଚନା କରିବା ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ନଜର ରଖାଯାଉଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ତିନି ଦେଶ ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ମତଭେଦର ସମାଧାନ ବିଶ୍ୱର ସ୍ଥିରତା ପାଇଁ ଜରୁରୀ। ଏହି ଆଲୋଚନା ଅନ୍ତର୍ଜାତୀୟ ସମୁଦାୟର ଆଶାକୁ ମଧ୍ୟ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।
ପରମାଣୁ ଅସ୍ତ୍ର ହ୍ରାସ ଉପରେ ହୋଇପାରେ ଆଲୋଚନା
ଏହି ବୈଠକରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଓ ନିରସ୍ତ୍ରୀକରଣ ପ୍ରସଙ୍ଗ ମୁଖ୍ୟ ଆଲୋଚନାର ବିଷୟ ହୋଇପାରେ। ହ୍ୱାଇଟ୍ ହାଉସ୍ ପକ୍ଷରୁ ପୂର୍ବରୁ ସଙ୍କେତ ଦିଆଯାଇଛି ଯେ, ଡୋନାଲ୍ଡ ଟ୍ରମ୍ପ ବିଶ୍ୱରେ ପରମାଣୁ ଅସ୍ତ୍ରର ସଂଖ୍ୟା କମାଇବା ନେଇ ଆଲୋଚନା କରିବେ। ତେବେ ଏହି ପ୍ରସଙ୍ଗରେ ଚୀନ୍ର ଆଭିମୁଖ୍ୟ ଭିନ୍ନ ରହିଛି। ଆମେରିକା ଓ ରୁଷିଆ ପାଖରେ ଚୀନ୍ ତୁଳନାରେ ଅଧିକ ପରମାଣୁ ଅସ୍ତ୍ର ରହିଥିବାରୁ ପ୍ରଥମେ ଏହି ଦୁଇ ଦେଶ ନିଜ ଅସ୍ତ୍ରଭଣ୍ଡାର ହ୍ରାସ କରିବା ଉଚିତ ବୋଲି ବେଜିଂ ପୂର୍ବରୁ ମତ ରଖିଆସିଛି।
ରୁଷ-ୟୁକ୍ରେନ ଯୁଦ୍ଧ ଓ ଅନ୍ୟ ପ୍ରସଙ୍ଗ ଉପରେ ନଜର
ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉଠିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହା ଆନୁଷ୍ଠାନିକ ଏଜେଣ୍ଡାରେ ରହିବ କି ନାହିଁ, ସେନେଇ ଚୀନ୍ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ମଧ୍ୟପ୍ରାଚ୍ୟର ଉତ୍ତେଜନା ଓ ଇରାନ୍ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଆଲୋଚନାକୁ ଆସିପାରେ। ଅନ୍ୟପଟେ, ପରମାଣୁ ନିରସ୍ତ୍ରୀକରଣ ପ୍ରୟାସରେ ଏହି ତିନି ଦେଶ ଯଦି ଠୋସ୍ ପଦକ୍ଷେପ ନିଅନ୍ତି, ତେବେ ତାହାକୁ ଜାତିସଂଘ ସମର୍ଥନ କରିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି।