ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟଶୈଳୀକୁ ନେଇ ପୁଣି ଆଇନଗତ ଲଢ଼େଇ ଜୋରଦାର ହୋଇଛି। ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ ଆୟୋଗର ଅଧିକାରୀମାନଙ୍କୁ ୪୮ଟି ପ୍ରଶ୍ନ ପଚାରିବାକୁ ଅନୁମତି ମାଗିଛି ଇଣ୍ଡି ମେଣ୍ଟ। ଏନେଇ ରାହୁଲ ଗାନ୍ଧୀଙ୍କ ସମେତ ମେଣ୍ଟର ଅନ୍ୟ ନେତାମାନେ ସୁପ୍ରିମକୋର୍ଟରେ ଏକ ନୂଆ ଆବେଦନ ଦାଖଲ କରିଛନ୍ତି।
ନଭେମ୍ବର ୧୭ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ, ଏହା ପୂର୍ବରୁ ଆବେଦନକାରୀମାନେ ନିର୍ବାଚନ ଆୟୋଗ ଦାଖଲ କରିଥିବା ସତ୍ୟପାଠ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର, ଅନ୍ୟ ଦୁଇ ନିର୍ବାଚନ କମିଶନର ଏବଂ ଆୟୋଗର ଆଇଟି ମହାନିର୍ଦ୍ଦେଶକଙ୍କୁ ୪୮ଟି ପ୍ରଶ୍ନର ଉତ୍ତର ଦେବାକୁ ଅନୁମତି ଦେବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଛି।
SIR ଓ ଡିଜିଟାଲ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ
ଆବେଦନରେ ନିର୍ବାଚନ ଆୟୋଗର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ଏବଂ ଡିଜିଟାଲ୍ ବ୍ୟବସ୍ଥାରେ ହୋଇଥିବା ପରିବର୍ତ୍ତନକୁ ନେଇ ଅନେକ ପ୍ରଶ୍ନ ଉଠାଯାଇଛି। ଆୟୋଗ ନିଜ ସତ୍ୟପାଠରେ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିରେ ଏବଂ ସରକାରୀ ଫାଇଲ୍ ମାଧ୍ୟମରେ ନିଆଯାଇଥିବା ଦାବି କରିଛି। କିନ୍ତୁ ସୂଚନା ଅଧିକାର ଆଇନ (RTI) ଜରିଆରେ ମିଳିଥିବା ତଥ୍ୟରେ କେତେକ ନିଷ୍ପତ୍ତି ଉପରେ ଔପଚାରିକ ନିଷ୍ପତ୍ତି ନିଆଯାଇନଥିବା କଥା ସାମ୍ନାକୁ ଆସିଥିବା ଆବେଦନକାରୀମାନେ ଦର୍ଶାଇଛନ୍ତି।
CECଙ୍କ ମତ ସହ ଅନ୍ୟ କମିଶନରଙ୍କ ଅସହମତି ଥିଲା କି?
ଆବେଦନରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ମତ ସହ ଅନ୍ୟ ଦୁଇ ନିର୍ବାଚନ କମିଶନର କେତେଥର ଅସହମତ ହୋଇଥିଲେ, ସେନେଇ ପ୍ରଶ୍ନ କରାଯାଇଛି। ଏହାସହ ସାରା ଦେଶରେ ଏକକାଳୀନ SIR କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି କିଏ ନେଇଥିଲେ, ତାହାର ଉତ୍ତର ମଧ୍ୟ ମଗାଯାଇଛି।
ନୂଆ ଭୋଟରଙ୍କ ପଞ୍ଜୀକରଣ ପାଇଁ ବ୍ୟବହୃତ ଫର୍ମ-୬ର ଢାଞ୍ଚା ଓ ନିୟମରେ ପରିବର୍ତ୍ତନ କାହା ନିର୍ଦ୍ଦେଶରେ କରାଯାଇଥିଲା, ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି ଆବେଦନକାରୀ। ଏହାବ୍ୟତୀତ ନିର୍ବାଚନ ଆୟୋଗର ERONET ଓ ECINET ଡିଜିଟାଲ୍ ବ୍ୟବସ୍ଥାକୁ କେନ୍ଦ୍ରୀକୃତ କରିବାର ନିଷ୍ପତ୍ତି କିଏ ନେଇଥିଲେ ଏବଂ ଏଥିପାଇଁ କେଉଁ ବୈଷୟିକ ପ୍ରକ୍ରିୟା ଅନୁସରଣ କରାଯାଇଥିଲା, ସେନେଇ ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଛି।
ନିର୍ବାଚନ ଆୟୋଗ ପକ୍ଷରୁ ଦାଖଲ ହୋଇଥିବା ମିଳିତ ସତ୍ୟପାଠକୁ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ କମିଶନର କେବେ ଓ କେଉଁ ପ୍ରକ୍ରିୟାରେ ଅନୁମୋଦନ ଦେଇଥିଲେ, ତାହା ମଧ୍ୟ ପ୍ରଶ୍ନ ତାଲିକାରେ ସ୍ଥାନ ପାଇଛି।
ପଶ୍ଚିମବଙ୍ଗରେ ଆବେଦନକୁ ନେଇ ମଧ୍ୟ ପ୍ରଶ୍ନ
ପଶ୍ଚିମବଙ୍ଗରେ ନ୍ୟାୟିକ ଅଧିକାରୀମାନଙ୍କ ନିଷ୍ପତ୍ତି ବିରୋଧରେ ବହୁ ସଂଖ୍ୟାରେ ଅପିଲ୍ ଦାଖଲ ହେବା ଘଟଣାକୁ ନେଇ ମଧ୍ୟ ଆବେଦନକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ଆୟୋଗର ଜ୍ଞାତସାରରେ କିମ୍ବା ଅନୁମତିରେ ଏହି ଅପିଲ୍ ଦାଖଲ ହୋଇନଥିବା ନେଇ ଆୟୋଗ କରିଥିବା ଦାବିକୁ ସେମାନେ ବିରୋଧ କରିଛନ୍ତି।
କୋର୍ଟଙ୍କୁ କ’ଣ ଅନୁରୋଧ କରିଛନ୍ତି ଆବେଦନକାରୀ ?
ନିଜ ଆବେଦନରେ ଆବେଦନକାରୀମାନେ ସମ୍ବିଧାନର ଧାରା ୩୨ ଏବଂ ସୁପ୍ରିମକୋର୍ଟର ନିୟମାବଳୀକୁ ଆଇନଗତ ଆଧାର ଭାବେ ଦର୍ଶାଇଛନ୍ତି। ଏହାସହ ଜଷ୍ଟିସ୍ କେ.ଏସ୍. ପୁଟ୍ଟସ୍ୱାମୀ ମାମଲାର ଉଦାହରଣ ଦେଇ କହିଛନ୍ତି ଯେ, ବୈଷୟିକ ଓ ପ୍ରକ୍ରିୟାଗତ ତଥ୍ୟ ସ୍ପଷ୍ଟ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସିଧାସଳଖ ପ୍ରଶ୍ନ ପଚରାଯାଇପାରିବ।