ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ସମୟର ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦୁଇ ଦୋଷୀଙ୍କ ଆଜୀବନ କାରାଦଣ୍ଡାଦେଶକୁ ଖାରଜ କରି ଜାମିନ ପ୍ରଦାନ କରିଛନ୍ତି । ଉଭୟ ଦୋଷୀ ୧୭ ବର୍ଷରୁ ଅଧିକ ସମୟର କାରାବାସ ଭୋଗି ସାରିଥିବାରୁ ଏବଂ ଦୋଷୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଛନ୍ତି ।
ନ୍ୟାୟମୂର୍ତ୍ତି ଏମ୍ଏମ୍ ସୁନ୍ଦରେଶ ଏବଂ ନ୍ୟାୟମୂର୍ତ୍ତି ପ୍ରସନ୍ନା ବୀ ବରାଲେଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଅକ୍ଟୋବର ୨୮ ତାରିଖରେ ରାୟ ଦେଇଥିଲେ । ଦୋଷୀ ବିପିନଚନ୍ଦ ଜୋଶୀ ଏବଂ ପ୍ରଦୀପ ମୋଧିୟା ୧୧ ଜଣ ଦୋଷୀଙ୍କ ମଧ୍ୟରେ ରହିଛନ୍ତି । ଉଭୟଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଉଭୟ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ମାମଲାରେ ଦଣ୍ଡ ଭୋଗି ସାରିଛନ୍ତି । ତତସହିତ ବିପିନଚନ୍ଦ ଜୋଶୀ ଶାରିରୀକ ଭାବେ ଅକ୍ଷମ ଅଟନ୍ତି । ଏ ତମାମ ଦିଗକୁ ବିଚାରକୁ ନେଇ ଖଣ୍ଡପୀଠ ଜାମିନ ମଞ୍ଜୁର କରିଛନ୍ତି । ମାନ୍ୟବର କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହି ଜାମିନ କେବଳ ଦଣ୍ଡାଦେଶ ସ୍ଥଗିତ ରଖିବା ପାଇଁ ଦିଆଯାଇଛି ଏବଂ ସେମାନଙ୍କ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ ହୋଇଥିବା ମୂଳ ଆବେଦନର ଶୁଣାଣି ଆଗକୁ ଜାରି ରହିବ। ଟ୍ରାଏଲ କୋର୍ଟଙ୍କ ସର୍ତ୍ତ ଅନୁଯାୟୀ ସେମାନଙ୍କୁ ଜାମିନ ମିଳିବ ।
ଶୁଣାଣି ସମୟରେ ଅପରାଧର ଗମ୍ଭୀରତା ଦର୍ଶାଇ ସରକାରୀ ଓକିଲ ଜାମିନ ଆବେଦନକୁ ବିରୋଧ କରିଥିଲେ। ଅନ୍ୟପଟେ ପ୍ରତିପକ୍ଷ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ପ୍ରାରମ୍ଭିକ ଏଫଆଇଆରରେ ଜଣକର ନାମ ନଥିଲା ଏବଂ ଘଟଣାର ପ୍ରାୟ ତିନି ବର୍ଷ ପରେ ତାଙ୍କୁ ଅଭିଯୁକ୍ତ କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଆଦେଶ ମାଧ୍ୟମରେ ସୁପ୍ରିମକୋର୍ଟ ସେମାନଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଥିଲେ। ପୂର୍ବ ଶୁଣାଣିଗୁଡ଼ିକ ସମୟରେ, ଅଭିଯୁକ୍ତ ପକ୍ଷର ଓକିଲ କହିଥିଲେ ଯେ ପୀଡ଼ିତା ତାଙ୍କ ପୋଲିସ୍ ବୟାନରେ କିମ୍ବା ଡାକ୍ତରୀ ପରୀକ୍ଷା ସମୟରେ ଡାକ୍ତରଙ୍କ ନିକଟରେ ଦେଇଥିବା ବୟାନରେ ଏହି ଦୁଇ ଆବେଦନକାରୀଙ୍କ ନାମ ଉଲ୍ଲେଖ କରିନଥିଲେ। ଓକିଲ କହିଛନ୍ତି ଯେ ଏହି ଦୁଇ ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ କାର୍ୟ୍ୟ କରିଥିବାର ଅଭିଯୋଗ ନାହିଁ ଏବଂ ସେମାନଙ୍କ ବିରୁଦ୍ଧରେ ଥିବା ଏକମାତ୍ର ପ୍ରମାଣ ହେଉଛି ଯେ ଘଟଣା ସମୟରେ ସେମାନେ ସେଠାରେ ଥିବା ଭିଡ଼ ମଧ୍ୟରେ ଉପସ୍ଥିତ ଥାଇପାରନ୍ତି।
ଘଟଣାକ୍ରମ
୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ସମୟରେ ପାଞ୍ଚ ମାସର ଗର୍ଭବତୀ ଥିବା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏହା ସହିତ ତାଙ୍କର ଏକ ତିନି ବର୍ଷର ଶିଶୁ କନ୍ୟା ସମେତ ତାଙ୍କ ପରିବାରର ୧୪ ଜଣ ସଦସ୍ୟମାନଙ୍କୁ ହତ୍ୟା କରାଯାଇଥିଲା। ୨୦୦୮ରେ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୭ରେ ବମ୍ବେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଥିଲେ।
ଅଗଷ୍ଟ , ୨୦୨୨ରେ ଗୁଜରାଟ ସରକାର ସମସ୍ତ ୧୧ ଦୋଷୀଙ୍କୁ ସମୟ ପୂର୍ବରୁ ଜେଲରୁ ମୁକ୍ତ କରିଥିଲେ। ଜେଲରେ ଉତ୍ତମ ଆଚରଣ ଏବଂ ୧୪ ବର୍ଷରୁ ଅଧିକ ସମୟ ସଜା କାଟି ସାରିଥିବାରୁ ଗୁଜରାଟ ସରକାର ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ ।
କିନ୍ତୁ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତିକୁ ରଦ୍ଦ କରିଦେଇଥିଲେ । ୨୦୨୪ ଜାନୁଆରୀ ୮ ତାରିଖରେ ସୁପ୍ରିମକୋର୍ଟ ପୀଡ଼ିତା ବିଲକିସ ବାନୋଙ୍କ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଜାନୁଆରୀ ୮, ୨୦୨୪ରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ରଦ୍ଦ କରି ସମସ୍ତ ଦୋଷୀଙ୍କୁ ପୁଣି ଜେଲ ଯିବାକୁ ନିର୍ଦ୍ଦେଶ ଦେଇଥିଲେ ।