ମାଲକାନଗିରି: ଆଦିବାସୀଙ୍କ ବିକାଶ ସହ ମାଲକାନଗିରି ଜିଲ୍ଲାର ଶିଳ୍ପ ଓ ଶିକ୍ଷା କ୍ଷେତ୍ରକୁ ନୂଆ ଦିଗ ଦେବାକୁ ରାଜ୍ୟ ସରକାରଙ୍କ ଯୋଜନା, ଜିଲ୍ଲାରେ ଖୁବଶୀଘ୍ର ଶିଳ୍ପ ପ୍ରତିଷ୍ଠା ହେବ ବୋଲି ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଡାଲମିଆ ସିମେଣ୍ଟ ୨ ହଜାର କୋଟି ଟଙ୍କା ଏବଂ ଅମ୍ବୁଜା ସିମେଣ୍ଟ ୨ ହଜାର ୨୦୦ କୋଟି ଟଙ୍କା ନିବେଶ କରିବେ ବୋଲି ସେ କହିଛନ୍ତି । ଏହାଦ୍ୱାରା ଜିଲ୍ଲାରେ ଶିଳ୍ପ ବିକାଶ ସହ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି । ମାଲକାନଗିରିରେ ଡିଏନକେ ଖେଳ ପଡିଆରେ ଜନଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ସିଧା ସଳଖ ଡିଏନକେ ଖେଳ ପଡିଆରେ ପହଞ୍ଚି ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସରେ ଯୋଗ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମାଲକାନଗିରି ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ୧୦ ହଜାର ଆଦିବାସୀ ଯୋଗଦେଇଥିଲେ। ବଣ୍ଡା, ଡିଡାଇ, ଦୁରୁଆ, କୋୟା ଓ ପରଜା ଜନଜାତିର ଲୋକେ ନିଜ ପାରମ୍ପରିକ ପୋଷାକ ଓ ନୃତ୍ୟ ମାଧ୍ୟମରେ ଅତିଥିଙ୍କୁ ସ୍ୱାଗତ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଭାବ ବିନିମୟ କରିବା ସହ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ଘୋଷଣା କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଜନଜାତିଙ୍କ ଶିକ୍ଷା ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ମାଲକାନଗିରି ଜିଲ୍ଲାରେ ୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୮ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ରହିବା ଓ ପାଠପଢ଼ା ପାଇଁ ନିର୍ମିତ ହଷ୍ଟେଲ ରହିଛି। ସେହିପରି ୧୦୬ କୋଟି ଟଙ୍କା ବ୍ୟୟରେ ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯାଇଛି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ୧୧ଟି ନୂତନ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୂଚନା ଦେଇଛନ୍ତି ଯେ ରାଜ୍ୟର ଆଉ ୫ ଲକ୍ଷ ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଛି । ସେହିପରି ଆଉ ୫ ଲକ୍ଷ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ। ରାଜ୍ୟରେ ୭,୬୬୭ଟି ଗାଁକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାର ଯୋଜନା ରହିଛି।
ଏଥିସହ ରାଜ୍ୟରେ ଆଉ ୧୧୧ଟି ନୂତନ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ ବୋଲି ସେ ଘୋଷଣା କରିଛନ୍ତି। ଏମ୍ଏମ୍ଜେଏମ୍ ୨.୦ (MMJM 2.0) ଯୋଜନାର ଅବଧି ଆଉ ୫ ବର୍ଷ ବୃଦ୍ଧି କରାଯାଇଥିବା ମଧ୍ୟ କହିଛନ୍ତି।
ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଗରିବ, କୃଷକ, ମହିଳା ଓ ଯୁବକଙ୍କ ବିକାଶକୁ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଚାରି ବର୍ଗର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟ ରହିଛି।
ଅନେକ ଲୋକ ନିଜ ଅଞ୍ଚଳର ସମସ୍ୟା ଓ ଦାବି ସମ୍ପର୍କିତ ଲିଖିତ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏହାକୁ ନେଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା।