ଅବୈଧ ଅନଲାଇନ୍ ବେଟିଂ କାରବାର ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBIର ବଡ଼ ଆକ୍ସନ୍। ବହୁଚର୍ଚ୍ଚିତ ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ର ନେଟୱର୍କ ଉପରେ ଦେଶବ୍ୟାପୀ ଚଢ଼ାଉ କରିଛି CBI। ଗତ କିଛି ଦିନ ମଧ୍ୟରେ ୬ଟି ରାଜ୍ୟର ୩୩ଟି ସ୍ଥାନରେ ରେଡ୍ କରିଛି ତଦନ୍ତକାରୀ ଟିମ୍। ଏହି ଚଢ଼ାଉରେ ଅନେକ ବେଆଇନ୍ ବେଟିଂ ପ୍ୟାନେଲ୍ର ପର୍ଦ୍ଦାଫାଶ ହୋଇଛି।
ସୂଚନା ଅନୁସାରେ, ବିଭିନ୍ନ ସ୍ଥାନରେ ପ୍ୟାନେଲ୍ ଅପରେଟରଙ୍କ ଠିକଣାରେ ଚଢ଼ାଉ କରିଥିଲା CBI। ଏହି ସମୟରେ କେତେକ ସ୍ଥାନରେ ଲାଇଭ୍ ବେଟିଂ ଓ ଅନଲାଇନ୍ ଜୁଆ କାରବାର ଚାଲୁଥିବା ଧରାପଡ଼ିଥିଲା। ତୁରନ୍ତ ସେହି ପ୍ୟାନେଲ୍ଗୁଡ଼ିକୁ ବନ୍ଦ କରାଯାଇଥିଲା। ଚଢ଼ାଉ ବେଳେ ବିଭିନ୍ନ ସ୍ଥାନରୁ ମୋବାଇଲ୍ ଫୋନ୍, ଡିଜିଟାଲ୍ ଡିଭାଇସ୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ବେଟିଂ କାରବାରରୁ ମିଳୁଥିବା ଟଙ୍କାକୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ହାୱାଲା ନେଟୱର୍କ ଜରିଆରେ ଅନ୍ୟ ଦେଶକୁ ପଠାଯାଉଥିବା ସନ୍ଦେହ ରହିଛି। ଏହି କାରବାରରେ ଅନେକ ପ୍ୟାନେଲ୍ ଅପରେଟର ସାମିଲ୍ ଥିବା ଜଣାପଡ଼ିଛି।
ମହାଦେବ ବେଟିଂ ଆପ୍ର ଅନ୍ୟତମ ମୁଖ୍ୟ ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କୁ ପଚରାଉଚରା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ଚଢ଼ାଉ କରାଯାଇଛି। ଓମାନରୁ ଭାରତକୁ ପ୍ରତ୍ୟର୍ପଣ ପରେ ନଭେମ୍ବର ୧ ତାରିଖରେ ତାଙ୍କୁ CBI ଗିରଫ କରିଥିଲା। ପଚରାଉଚରା ସମୟରେ ଆପ୍ର କାର୍ଯ୍ୟପ୍ରଣାଳୀ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ପ୍ୟାନେଲ୍ ଅପରେଟରଙ୍କ ନେଟୱର୍କ ସମ୍ପର୍କରେ ଅନେକ ତଥ୍ୟ ମିଳିଥିବା କୁହାଯାଉଛି।
ତଦନ୍ତ ଅନୁସାରେ, ମହାଦେବ ଆପ୍ର ମୁଖ୍ୟ ନେଟୱର୍କ ବିଦେଶରୁ ପରିଚାଳିତ ହେଉଥିବା ବେଳେ ଭାରତରେ ପ୍ୟାନେଲ୍ ଅପରେଟରଙ୍କ ଜରିଆରେ ବେଟିଂ କାରବାର ଚାଲୁଥିଲା। ଗ୍ରାହକଙ୍କ ପାଇଁ ବେଟିଂ ଆଇଡି ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କ ନାଁରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଉଥିଲା। ପରେ ହାୱାଲା ମାଧ୍ୟମରେ ଏହି ଟଙ୍କା ବିଦେଶକୁ ପଠାଯାଉଥିବା ତଦନ୍ତରୁ ସୂଚନା ମିଳିଛି।
ଏହି ମାମଲାରେ CBI ଦୁଇଟି FIR ରୁଜୁ କରି ତଦନ୍ତ ଜାରି ରଖିଛି। ଅନ୍ୟପଟେ ନଭେମ୍ବର ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରି ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ହେପାଜତକୁ ନେଇଛି।
ଏବେ ଏହି ବେଆଇନ୍ ନେଟୱର୍କରେ ସାମିଲ୍ ଅନ୍ୟ ଅଭିଯୁକ୍ତ, ବିଦେଶରେ ଥିବା ସହଯୋଗୀ ଏବଂ କାରବାରକୁ ସହଯୋଗ କରିଥିବା ସନ୍ଦିଗ୍ଧ ସରକାରୀ କର୍ମଚାରୀଙ୍କ ଭୂମିକା ଖୋଜୁଛି CBI। ଏହାସହ ବିଦେଶରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ତଦନ୍ତକାରୀ ସଂସ୍ଥା ପଦକ୍ଷେପ ନେଉଛି।