ନୂଆଦିଲ୍ଲୀ: ଆସାମ କାଜିରଙ୍ଗାରେ ଏକ ଯାତ୍ରୀବାହୀ ମିନିବସ ସହିତ ଟ୍ରକ୍ ଧକ୍କା ହେବାରୁ ଅତିକମରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।
ଗୋଲାଘାଟ ଏସପି ସ୍ୱପ୍ନିଲ ଡେକାଙ୍କ ସୂଚନା ଅନୁସାରେ, ମିନିବସଟି ବୋକାଖଟରୁ ନାଗାଓଁ ଅଭିମୁଖେ ଆସୁଥିବାବେଳେ ରୋଙ୍ଗାଜନ ନିକଟରେ ଟ୍ରକ୍ ସହିତ ଧକ୍କା ହୋଇଥିଲା । ପୋଲିସର ପ୍ରାଥମିକ ଯାଞ୍ଚ ଅନୁସାରେ, ବସଟି ନିଷିଦ୍ଧ ଅଞ୍ଚଳରେ ନିୟମ ଉଲ୍ଲଂଘନ କରି ଦ୍ରୁତଗତିରେ ଆସୁଥିଲା । ବସ୍ ଚାଳକ ନିୟନ୍ତ୍ରଣ ହରାଇବାକୁ ଟ୍ରକ୍ ସହିତ ଧକ୍କା ହୋଇଥିଲା । ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିବା କୁହାଯାଉଛି । ଗୁରୁତରଙ୍କୁ କୋହୋରା ମଡେଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଅବିଳମ୍ବେ ଉତ୍ତମ ଚିକିତ୍ସା ସୁବିଧା ଯୋଗା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।